Odisha Link
Bridging the Missing Links in Odisha

ଏକାଠି ହେଲେ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ଓ ଟି-ସିରିଜ

ମୁମ୍ବାଇ: ଦେଶର ବହୁ ନାମୀଦାମୀ କମ୍ପାନୀ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ହିନ୍ଦୀ ସିନେମା ଜଗତର ପ୍ରତିଷ୍ଠିତ କମ୍ପାନୀ ଟି-ସିରିଜ୍ ଖୁବ୍ ଶୀଘ୍ର ମିଳିତ ଭାବେ କାମ କରିବାକୁ ଯାଉଛନ୍ତି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍, ମିଳିତ ସହଯୋଗରେ ୧୦ଟି ଫିଲ୍ମ ପ୍ରସ୍ତୁତ କରିବା ନେଇ ଘୋଷଣା କରିଛନ୍ତି।

ଏହା ସହ ଏହି ଫିଲ୍ମ ତିଆରି କରିବା ପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ବିନିଯୋଗ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।ତେବେ ଏହି ୧୦ଟି ଫିଲ୍ମରେ କଣ ହେବ ଓ କେଉଁ ପ୍ରକାରର, ଏଥିରେ କେଉଁ କେଉଁ ଷ୍ଟାରମାନେ ନଜର ଆସିବେ ସେ ନେଇ କୌଣସି ପ୍ରକାରର ଘୋଷଣା ହୋଇନାହିଁ। ହେଲେ ଏହାର ଆରମ୍ଭ ଦକ୍ଷିଣ ଭାରତର ହିଟ୍ ଫିଲ୍ମ “ବିକ୍ରମଭେଧା”ର ହିନ୍ଦୀ ରିମେକ୍‌ରୁ ହେବ ଓ ଏଥିରେ ହ୍ରିତିକ୍ ରୋଶନ୍ ଏବଂ ସୈଫ୍ ଅଲୀ ଖାନ୍ ଲିଡ୍ ରୋଲରେ ନଜର ଆସିବେ ବୋଲି କୁହାଯାଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ ମ୍ୟୁଜିକ୍ ନିର୍ମାଣର ମାର୍କେଟିଂ ପାଇଁ ଟି-ସିରିଜ୍ କମ୍ପାନୀ ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ମଧ୍ୟରେ ଏକ ଦୀର୍ଘ ସହଭାଗୀତା ରହିଆସିଛି। ଏହି ସହଭାଗୀତା ଅନୁଯାୟୀ ଉଭୟ କମ୍ପାନୀ ପ୍ରାୟ ୧୦୦ଟି ଫିଲ୍ମରେ କାମ କରିଛନ୍ତି। କିନ୍ତୁ, ଏହା ପ୍ରଥମ ଥର ପାଇଁ ମୁମ୍ବାଇର ଦୁଇଟି ବଡ ଷ୍ଟୁଡିଓ ଏକାଠି ଚଳଚ୍ଚିତ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହି ୧୦ଟି ଚଳଚ୍ଚିତ୍ର ମଧ୍ୟରୁ ତିନୋଟି ହେଉଛି ମେଗା ବଜେଟ୍ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଗୁଡ଼ିକରେ ଶୀର୍ଷ ତାରକା ଏବଂ ଟେକ୍ନିସିଆନ ମାନେ କାମ କରୁଛନ୍ତି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଟି-ସିରିଜର ଏହି ୧୦ ଟି ଚଳଚ୍ଚିତ୍ରରେ ଅନେକ ନିର୍ମାଣାଧୀନ ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଏହି ସହଭାଗୀତା ଘୋଷଣା ସହିତ ପ୍ରକାଶ ପାଇଥିବା ଚଳଚ୍ଚିତ୍ରଗୁଡ଼ିକରେ ତାମିଲ ବ୍ଲକବଷ୍ଟରର ହିନ୍ଦୀ ରିମେକ୍, ଏକ ଐତିହାସିକ ବାୟୋପିକ୍, ଗୁପ୍ତଚର ଥ୍ରୀଲର, କୋର୍ଟ ରୁମ୍ ଡ୍ରାମା, ବ୍ୟଙ୍ଗାତ୍ମକ କମେଡି ଫିଲ୍ମ, ରୋମାଣ୍ଟିକ୍ ଡ୍ରାମା ଏବଂ ଇଭେଣ୍ଟ ଉପରେ ଆଧାରିତ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।କୁହାଯାଉଛି ଯେ ୧୦ ଟି ଚଳଚ୍ଚିତ୍ର ମଧ୍ୟରୁ ଚାରି କିମ୍ବା ପାଞ୍ଚଟି ଆସନ୍ତା ବର୍ଷ ସୁଦ୍ଧା ରିଲିଜ୍ ପାଇଁ ପ୍ରସ୍ତୁତ ହୋଇପାରେ।

Leave A Reply

Your email address will not be published.