Odisha Link
Bridging the Missing Links in Odisha

ହୀରାକୁଦର ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ

ହୀରାକୁଦ: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳ ସ୍ତର ବଢୁଛି। ହୀରାକୁଦର ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୨୭ ଦଶମିକ ୮୩ ଫୁଟ। ଜଳ ଭଣ୍ଡାରରୁ ୬ଟି ଗେଟ ଦେଇ ୧ଲକ୍ଷ, ୨୭ ହଜାର, ୧୯୪ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଆଉ ୬ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ।

ଗତ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଓଡ଼ିଶା ଉପରୁ ଅପସରିଯାଇଛି। ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଛି। ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଅବପାତ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି।

ତିନିଦିନ ଲଗାଣ ବର୍ଷା ଫଳରେ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ବୈତରଣୀରେ  ଜଳସ୍ତର ବିପଦ ସଂକେତ ନିକଟବର୍ତ୍ତୀ ରହିଛି। ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି।

Leave A Reply

Your email address will not be published.