Odisha Link
Bridging the Missing Links in Odisha

ଫୁଲୁଛି ୭ ନଦୀର ଜଳସ୍ତର

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର। ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି। ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୧୨ଟି ଗେଟ୍‌ ଖୋଲାଯାଇଛି। ଏହା ପ୍ରଭାବରେ ବହୁ ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବନ୍ୟା ଆଶଙ୍କା ରହିଛି।

ନରାଜରେ ମହାନଦୀର ଜଳସ୍ତର ବଢୁଥିବା ବେଳେ ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସେହିପରି ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀର ଜଳସ୍ତର ବୃଦ୍ଧି ପାଉଛି। ଆଖୁଆପଦାରେ ବୈତରଣୀର ଜଳସ୍ତର ବଢୁଥିବା ବେଳେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର।

ସେହିପରି ୫ ନମ୍ବର ଜାତୀୟ ରାଜପଥ ନିକଟରେ ବୁଢାବଳଙ୍ଗ ଏବଂ ରାଜଘାଟ ଓ ଜାମସୋଳା ଘାଟରେ ବଢୁଛି ସୁବର୍ଣ୍ଣରେଖା। ସେହିପରି ଗୁଣୁପୁରରେ ବଂଶଧାରା ଏବଂ ମଥାନୀରେ ଜଳକାର ଜଳସ୍ତର ବୃଦ୍ଧି ପାଉଛି । ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ହୀରାକୁଦର ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୨୭ ଦଶମିକ ୮୩ ଫୁଟ । ଜଳ ଭଣ୍ଡାରରୁ ୬ଟି ଗେଟ ଦେଇ ୧ଲକ୍ଷ, ୨୭ ହଜାର, ୧୯୪ କ୍ୟୁସେକ ଜଳ ନିଷ୍କାସନ ହେଉଛି। ତେବେ ଜଳ ଭଣ୍ଡାରର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଆଉ ୬ଟି ଗେଟ୍ ଖୋଲିଲା। ବର୍ତ୍ତମାନ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି।

Leave A Reply

Your email address will not be published.