Odisha Link
Bridging the Missing Links in Odisha

ପ୍ରମୋଦ ଓ ଦୂତୀଙ୍କ ନାଁରେ ନାମିତ ହେବ କିଟର ଦୁଇ ଷ୍ଟାଡିଅମ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ସର୍ବଦା କ୍ରୀଡ଼ା ଓ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିଥାଏ। ୨୦୦୫ରୁ କିଟ୍‍ ଓ କିସ୍‍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି। କ୍ରୀଡ଼ାର ଉନ୍ନତି ପାଇଁ କିଟ୍‍ ଓ କିସ୍‍ ବିଶ୍ୱବିଦ୍ୟାଳୟ ଭାରତ ତଥା ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିପାରିଛି। ନିକଟରେ ଟୋକିଓଠାରେ ସମାପନ ହୋଇଥିବା ପାରାଅଲିମ୍ପିକସରେ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ପ୍ରମୋଦ ଭଗତ ଦେଶ ପାଇଁ ଗୌରବ ଆଣିପାରିଛନ୍ତି। ବିଶେଷ କରି ପ୍ରମୋଦଙ୍କ ପାଇଁ ଓଡ଼ିଶା ନିଜକୁ ଗର୍ବିତ ମନେକରେ। ଟୋକିଓ ପାରାଅଲିମ୍ପିକସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦଙ୍କୁ ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସର ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।

ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୫ ଲକ୍ଷ ଟଙ୍କା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ପରାଅଲିମ୍ପିକସ ଯିବା ପୂର୍ବରୁ ପ୍ରମୋଦ କିଟର ୧୨ ନମ୍ବର କ୍ୟାମ୍ପସରେ ଥିବା ଇନଡୋର ଷ୍ଟାଡ଼ିଅମରେ ଦୀର୍ଘ ଦିନ ବ୍ୟାଡମିଣ୍ଟନ ଅଭ୍ୟାସ କରୁଥିଲେ। ସେହି ଷ୍ଟାଡିଅମକୁ ଖୁବଶୀଘ୍ର ‘ପ୍ରମୋଦ ଭଗତ ଇନଡୋର ଷ୍ଟାଡିଅମ୍‍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ। ଏହା ସହ ଓଡ଼ିଶାର ଗୌରବ ପ୍ରମୋଦଙ୍କୁ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସନ୍ତାବର୍ଷ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ।

ସେହିପରି ଭାରତର ଦୌଡ଼ରାଣୀ ତଥା କିଟ୍‍ ଛାତ୍ରୀ ଦୂତୀ ଚାନ୍ଦଙ୍କୁ ମଧ୍ୟ ୨୦୧୩ ମସିହାରୁ କିଟ୍‍ ଓ କିସ୍‍ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ସହ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଇଆସୁଛି। ଦୂତୀ ଦୁଇ ଦୁଇ ଥର ଅଲମ୍ପିକ୍‍ ଟ୍ରାକରେ ଦୌଡ଼ିବାର ଗୌରବ ଅର୍ଜନ କରିଥିବା ବେଳେ ଏସିଆଡ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଦି ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ହାସଲ କରି ଭାରତ, ଓଡ଼ିଶା ତଥା କିଟକୁ ଗୌରବାନ୍ୱିତ କରିଛନ୍ତି। ଦୂତୀଙ୍କ ସଫଳତା ପାଇଁ ତାଙ୍କ ନାମରେ ମଧ୍ୟ କିଟର ସିନ୍ଥେଟିକ୍‍ ଆଥଲେଟିକ୍‍ ଷ୍ଟାଡିଅମକୁ ‘ଦୂତୀ ଚାନ୍ଦ ଷ୍ଟାଡ଼ିଅମ୍‍’ ନାମରେ ନାମିତ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ।

 ଏହା ସହିତ ଦୂତୀ ଚାନ୍ଦଙ୍କୁ ମଧ୍ୟ କିଟ୍‍ କିମ୍ବା କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପ୍ରଦାନ କରାଯିବ। ଏହା ଦ୍ୱାରା କେବଳ ପ୍ରମୋଦ ଓ ଦୂତୀ କେବଳ ଉତ୍ସାହିତ ହେବେ ନାହିଁ, ବରଂ ଅନ୍ୟ ଖେଳାଳିମାନେ ମଧ୍ୟ ଏଥିରୁ ପ୍ରେରଣା ପାଇପାରିବେ ବୋଲି ଶ୍ରୀ ସାମନ୍ତ କହିଥିଲେ। ଆସନ୍ତା ଡିସେମ୍ବର ମାସରେ ଏହି ଦୁଇ ଖୋଳାଳିଙ୍କ ନାମରେ କିଟର ଦୁଇ ଷ୍ଟାଡିଅମ୍‍ ନାମିତ ହେବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି ବୋଲି ଶ୍ରୀ ସାମନ୍ତ କହିବା ସହ ପ୍ରମୋଦ ଭଗତ ଓ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ କିଛି କରିଛନ୍ତି ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଦୁଇ ଜଣ ଅଲିମ୍ପିଆନଙ୍କ ନାମରେ ଗୋଟିଏ ବିଶ୍ୱବିଦ୍ୟାଳୟର ଦୁଇ ଦୁଇଟି ଷ୍ଟାଡିଅମ ଏକାଥରକେ ନାମିତ ହେବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି।

Leave A Reply

Your email address will not be published.