Odisha Link
Bridging the Missing Links in Odisha

ଆଜିଠୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ

ପିପିଲି: ଆଜିଠୁ ପିପିଲି ଉପନିର୍ବାଚନ ବିଧିବଦ୍ଧ ଭାବେ ଆରମ୍ଭ ହେବ ପ୍ରଚାର। ପ୍ରଚାର ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଇବା ନେଇ ଦଳ ବେଶ୍‌ ଆଶାବାଦୀ ଥିବା ବେଳେ। ସେପଟେ ବିଜେପି କେନ୍ଦ୍ର ମନ୍ତ୍ରୀମାନଙ୍କୁ ପ୍ରଚାରରେ ସାମିଲ କରିବାର ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି। କଂଗ୍ରେସ ପ୍ରଚାର କରିବାକୁ ସମନ୍ୱୟ ବୈଠକ କରିଛି।

ପିପିଲିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ସମ୍ବୋଧନ କରିବେ। ନେତାମାନେ ପ୍ରଚାରକୁ ଯିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସରିଛି। ୱାର୍ଡସ୍ତରରେ ତିନି-ଚାରି ଜଣଙ୍କୁ ନେଇ ଦଳ ପ୍ରଚାର କରିବ। କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବିଜେପି ଡିଜିଟାଲ ମୋଡ୍‌ରେ ପ୍ରଚାର ସହ ଘର ଘର ବୁଲିବ। କେନ୍ଦ୍ର ମନ୍ତ୍ରୀମାନଙ୍କ ସମେତ ସମସ୍ତ ଷ୍ଟାର ପ୍ରଚାରକ ପିପିଲିରେ ପ୍ରଚାର କରିବେ। ସେପଟେ କଂଗ୍ରେସର ବାର୍ତ୍ତା ଲୋକଙ୍କ ପାଖରେ କିପରି ପହଂଚିବ ସେ ନେଇ ଆଲୋଚନା ହୋଇଛି। କଂଗ୍ରେସ ପକ୍ଷରୁ ଚେଲାକୁମାରଙ୍କ ସମେତ ୨୦ଜଣ ଷ୍ଟାର ପ୍ରଚାରକ ପ୍ରଚାର କରିବେ। ପିସିସି ପ୍ରଭାରୀଙ୍କ ସମେତ ସବୁ ଷ୍ଟାର କ୍ୟାମ୍ପେନର ମଇଦାନକୁ ଓହ୍ଲାଇବେ। କର୍ମୀମାନେ ପାଣ୍ଠି ଦେଇ ପ୍ରାର୍ଥୀଙ୍କୁ ସହଯୋଗ କରିବେ ବୋଲି କଂଗ୍ରେସ କହିଛି।

ପିପିଲରେ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବ। ଭୋଟଗଣତି ଅକ୍ଟୋବର ୩ ତାରିଖରେ ହେବ। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେଉଛି। ଦୁଇଦୁଇ ଥର ଉପନିର୍ବାଚନ ସ୍ଥଗିତ ବି ରହିଛି। ବିଜେଡିରୁ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

Leave A Reply

Your email address will not be published.