Odisha Link
Bridging the Missing Links in Odisha

ପ୍ରବଳ ବର୍ଷା ଆଶଙ୍କା, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଥିବା ଘୂର୍ଣ୍ଣିବଳୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ଆସନ୍ତା ୨୫ତାରିଖ ଆଡ଼କୁ ପୂର୍ବ-କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହା ଫଳରେ ରାଜ୍ୟରେ ଆସନ୍ତା ୨୬ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ବୋଲି କେନ୍ଦ୍ର କହିଛି। ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ପବନର ବେଗ ୪୦-୫୦ କିମି ରହିପାରେ। ସ୍ଥଳବିଶେଷରେ ଏହା ଘଣ୍ଟାକୁ ୬୦କିମି ହୋଇପାରେ।

ତେଣୁ ଆସନ୍ତା ୨୪ଘଣ୍ଟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଉପରେ ସକ୍ରିୟ ଥିବାରୁ ଉତ୍ତପ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ଓ ବାକି ଜିଲ୍ଲାଗୁଡିକର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। କଳାହାଣ୍ଡି, ଗଞ୍ଜାମ, ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବର୍ଷା ହୋଇଛି। ଭବାନୀପାଟଣାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

Leave A Reply

Your email address will not be published.