Odisha Link
Bridging the Missing Links in Odisha

ସୁସ୍ଥ ହେଲା ମଞ୍ଜୁଳା

କଟକ: ସାପ କାମୁଡ଼ା ପରେ ବିଷ ଜ୍ୱଳାରେ ଛଟପଟ ହେଉଥିବା ମଞ୍ଜୁଳା ଏବେ ସୁସ୍ଥ ହୋଇଛି। ୪ ମାସ ପୂର୍ବେ ଗୁରୁତର ହୋଇପଡ଼ିଥିବା ନବରଙ୍ଗପୁର ଜିଲ୍ଲା ଉମରକୋଟର ୯ ବର୍ଷୀୟା ନାବାଳିକା ମଂଜୁଳା ମୁହଁରେ ଶେଷରେ ଫୁଟିଛି ହସ। କଟକ ବଡ ମେଡିକାଲର ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ନୂଆ ଜୀବନ ପାଇପାରିଛି ମଞ୍ଜୁଳା। ଏଥିସହ ପଚି ଯାଇଥିବା ହାତଟିକୁ ମଧ୍ୟ ରକ୍ଷା କରାଯାଇ ପାରିଛି। କଟକ ବଡ଼ ମେଡିକାଲରେ ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚିକିତ୍ସିତ ହେବା ପରେ ଶେଷରେ ଆସନ୍ତାକାଲି ନିଜ ଘରକୁ ଫେରିଯିବ ମଞ୍ଜୁଳା।

ଦିନେ ହସ ଭୁଲି ଯାଇଥିବା ମଞ୍ଜୁଳାର ହସ ହସ ମୁହଁ ଦେଖି ଏବେ ସମସ୍ତେ ଆଶ୍ୱସ୍ତ। ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବି ଦୁଇ ଦୁଇ ଥର ଅପରେସନ ପରେ ମଞ୍ଜୁଳାର ହାତକୁ ରକ୍ଷା କରାଯାଇପାରିଛି। ଆଗକୁ ଫିଜିଓ ଥେରାପି ଦରକାର ବୋଲି ଡାକ୍ତର କହିଛନ୍ତି। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକ ଏହି ସୂଚନା ଦେଇଛନ୍ତି।

ତେବେ ସାପ କାମୁଡ଼ାରେ ସେ ମାସାଧିକ କାଳ ଯନ୍ତ୍ରଣାରେ ଛଟପଟ ହେବା ପରେ ଜୁଲାଇ ୧୪ରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ତାର ସମସ୍ତ ଚିକିତ୍ସା ବିନା ମୂଲ୍ୟରେ କରାଯାଇଥିଲା। ନାଗ ସାପ ଚୋଟରେ ମଞ୍ଜୁଳାର ଡାହାଣ ହାତ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା। ଚିକିତ୍ସା ଅଭାବରୁ ଡାହାଣ ହାତ ପଚିବା ଆରମ୍ଭ କରିଥିଲା।

ସାପ କାମୁଡ଼ିବା ପରେ ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇ ପାରିନଥିଲେ। ଝିଅ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଝିଅଟିର ଚିକିତ୍ସା ପାଇଁ ଅଣ୍ଟା ଭିଡ଼ିଥିଲା ପ୍ରଶାସନ।

Leave A Reply

Your email address will not be published.