Odisha Link
Bridging the Missing Links in Odisha

ଏଣିକି ରୋଗୀଙ୍କୁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ

ଭୁବନେଶ୍ୱର: ଏଣିକି ରାଜ୍ୟର ବିଭିନ୍ନ ମେଡ଼ିକାଲରେ ନିଯୁକ୍ତ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ଔଷଧ ଦେଇପାରିବେ। ଡାକ୍ତରଙ୍କ ଅନୁପସ୍ଥିତିରେ ସାମାନ୍ୟ ରୋଗ ପାଇଁ ସଂପୃକ୍ତ ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ରାଜ୍ୟ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଡାକ୍ତର ନଥିବା ବେଳେ ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଲୋକେ।

ସାମାନ୍ୟ ରୋଗ ପାଇଁ ମଧ୍ୟ ଲୋକଙ୍କୁ ମାଇଲ୍ ମାଇଲ୍ ରାସ୍ତା ଯିବାକୁ ପଡ଼ୁଛି। କିଛି କିଛି ସ୍ଥାନରେ ଜଣେ ମାତ୍ର ଡାକ୍ତର ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୂତନ ପଦକ୍ଷେପ ନିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମା ଅନୁସାରେ ଗୁରୁତର ନୁହେଁ ସାମାନ୍ୟ ରୋଗ ପାଇଁ ଔଷଧ ଦେଇପାରିବେ ଫାର୍ମାସିଷ୍ଟ। ତେବେ କେଉଁ ରୋଗ ପାଇଁ ଫାର୍ମାସିଷ୍ଟ ମାନେ କେଉଁ ଔଷଧ ଦେବେ ତାହାର ଏକ ତାଲିକା ବି ପ୍ରକାଶ ପାଇଛି।

ଜ୍ୱର, ମାଲେରିଆ ଠାରୁ ଆରମ୍ଭ କରି ଚର୍ମରୋଗ, ଝାଡ଼ାବାନ୍ତି, କୃମି, ସାମାନ୍ୟ ଆହତ ହୋଇଥିଲେ, ଫାର୍ମାସିଷ୍ଟ ମାନେ ଔଷଧ ଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ତେବେ କୌଣସି ଗୁରୁତର ରୋଗ ପାଇଁ ଔଷଧ ଦେବାକୁ ଫାର୍ମାସିଷ୍ଟ ମାନଙ୍କୁ ଅନୁମତି ଦିଆଯାଇ ନାହିଁ।

Leave A Reply

Your email address will not be published.