Odisha Link
Bridging the Missing Links in Odisha

କୋରାପୁଟରେ ବାତ୍ୟା ଗୁଲାବ ପ୍ରଭାବ: ଗଛ ପଡ଼ି, ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି

କୋରାପୁଟ: ବାତ୍ୟା ଗୁଲାବ ଗଭୀର ଅବପାତ ପରେ କ୍ରମଶଃ ଦୁର୍ବଳ ହେଉଛି। ଗତ ୬ ଘଣ୍ଟା ହେଲା ଏହା ୬ କିମି ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି। ଅନେକ ଘରର ଆଜବେଷ୍ଟସ ଛାତ ଉଡି ଯାଇଛି। ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡି ରହିଛି।

ରବିବାର ରାତିଠାରୁ ବର୍ଷା ଜାରି ରହିଛି। ଜିଲ୍ଲାରେ ରାତିଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। କୋରାପୁଟ ସମେତ ବନ୍ଧୁଗାଁ ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗିରେ ପ୍ରବଳ ବର୍ଷା ଲାଗି ରହିଛି।

ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ପ୍ରବଳ ବର୍ଷା ସହ ପବନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ୫ଟି ଘର ଭାଙ୍ଗି ଯାଇଛି। ୨୬ ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରୁଛନ୍ତି।

ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଓଡ୍ରାଫ ପକ୍ଷରୁ ଅପରେସନ ଚାଲିଛି। ତାନସିଲ ଗ୍ରାମରେ ଗୋଟିଏ, କେତନପାଡୁରେ ୨ଟି, ମଡାୱ୍ବାଲସାରେ ୨ଟି ଘରର ଛାତ ଉଡି ଘର ଭାଙ୍ଗି ଯାଇଛି। ଶୁଙ୍କି ନିକଟ ବଡ ନାଳରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି। ଶୁଙ୍କି ଛକ ସ୍ଥିତ ଲ୍ୟାମ୍ପ ଗୃହରେ ୮ ପରିବାର ଆଶ୍ରୟ ନେଇଛନ୍ତି।

ଗୁଲାବର ପ୍ରଭାବ ଗଜପତି ଜିଲ୍ଲାରେ ଯଦିଓ ବିଶେଷ ପ୍ରଭାବ ପଡ଼ିନାହିଁ ତଥାପି ଉପମୁଣ୍ଡରେ ବର୍ଷା ଯୋଗୁ ନଦୀ ବଢିଛି। ଜିଲ୍ଲାରେ ପ୍ରବାହିତ ମହେନ୍ଦ୍ରତନୟା ଓ ବଂଶଧାରା ନଦୀରେ ଜଳସ୍ତର ବଢିବାରେ ଲାଗିଛି। ସେପଟେ ନଦୀରେ ଜଳସ୍ତର ବଢୁଥିବାରୁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ଥିବା ଗୋଟା ବେରେଜର ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।

Leave A Reply

Your email address will not be published.