Odisha Link
Bridging the Missing Links in Odisha

୩ୟ ଓଡ଼ିଶା ଶିକ୍ଷା ସମ୍ମାନ, ୧୦ ଶିକ୍ଷାନୁଷ୍ଠାନ ସମ୍ମାନିତ

ପ୍ରକୃତି ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ: ରାଜ୍ୟପାଳ

ଭୁବନେଶ୍ବର: ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ଅବସରରେ ରାଜ୍ୟର ଜଣାଶୁଣା ୧୦ଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା।

ଉତ୍ସବକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ ଯେ କୌଣସି ବିଶ୍ବବିଦ୍ୟାଳୟ କକ୍ଷ ପ୍ରକୃତ ଗବେଷଣାଗାର ନୁହେଁ। ଶିକ୍ଷାର ଅସଲ ଗବେଷଣାଗାର ହେଉଛି ପ୍ରକୃତି। ସମୁଦ୍ର କୂଳରେ, ପକ୍ଷୀ ଉଡ଼ୁଥିବା ଆକାଶରେ, ନଦୀର କୁଳୁକୁଳୁ ଜଳଧାରାରରେ ଜ୍ଞାନର ଗନ୍ତାଘର ରହିଛି। ପ୍ରକୃତି ହିଁ ସବୁଠୁ ବଡ଼ ଶିକ୍ଷାନୁଷ୍ଠାନ ବୋଲି ସେ କହିଥିଲେ। ଶାନ୍ତ ରହିବା ଜଣେ ଶିକ୍ଷାର୍ଥୀର ସବୁଠୁ ବଡ଼ ଲକ୍ଷଣ। ଆମକୁ ଶବ୍ଦ ଓ କୋଳାହଳ ବାବଦରେ ତ ସମସ୍ତେ ଶିଖାନ୍ତି। ଶବ୍ଦର ଜ୍ଞାନ ବାବଦରେ ଆମକୁ ସମସ୍ତେ ଶିକ୍ଷାଦିଅନ୍ତି। କିନ୍ତୁ ଶବ୍ଦର ଅଜ୍ଞାନତା ବାବଦରେ କେହି କହିନଥାନ୍ତି। ନିରବତାରୁ ଶିକ୍ଷା କରିବା ହିଁ ଜଣେ ଜ୍ଞାନୀର ସବୁଠୁ ବଡ଼ ଭୂଷଣ ବୋଲି ସେ କହିଥିଲେ। ଉତ୍ସବରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ରହି ରାଜ୍ୟପାଳ ସମ୍ମାନିତ ସମସ୍ତ ଅନୁଷ୍ଠାନ ଓ ସେମାନଙ୍କର ଉଦ୍ୟୋକ୍ତାଙ୍କୁ ଅଭିବାଦନ ଜଣାଇଥିଲେ।

ରାଜ୍ୟପାଳ କହିଥିଲେ ଯେ ଶିଶୁ ଭଗବାନଙ୍କର ଆତ୍ମା, ତେବେ ବର୍ତ୍ତମାନର ଶିକ୍ଷାବ୍ୟବସ୍ଥା ତାକୁ ମାନବିକତାଠାରୁ ଦୂରେଇ ଦେଉଛି। ଆମକୁ ଏଭଳି ଶିକ୍ଷାପଦ୍ଧତି ଆପଣେଇବାକୁ ପଡ଼ିବ ଯାହା ଛାତ୍ରଛାତ୍ରୀଙ୍କୁ ମାନବିକତାର ନିକଟତର କରାଇବ। ବ୍ୟାସଦେବଙ୍କ ଠାରୁ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ମନିଷୀମାନେ ଯେଉଁ ଗ୍ରନ୍ଥ ସବୁ ରଚନା କରିଛନ୍ତି ତାହା କୌଣସି ବହି ପଢ଼ି ନୁହେଁ, ବରଂ ନିଜ ପ୍ରଜ୍ଞାରୁ ଲେଖିଛନ୍ତି। ଏଭଳି ପ୍ରଜ୍ଞା ଆଧ୍ୟାତ୍ମିକତାରୁ ମିଳେ। ଭାରତରେ ଶିକ୍ଷାବ୍ୟବସ୍ଥା ଆଧ୍ୟାତ୍ମିକତା ହେବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ଅଭିଭାବକ ଓ ଶିକ୍ଷକମାନେ ନିଜ ଆକାଂକ୍ଷାର ବୋଝରେ ଛାତ୍ରଛାତ୍ରୀଙ୍କୁ ଚାପିନଦେଇ ସେମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ନିଜ ଅଭିଭାଷଣରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ସହ ଜାତୀୟ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ। ଏହି ଶିକ୍ଷାନୀତି ମାନବିକତା ଉପରେ ପର୍ଯ୍ୟବସିତ ବୋଲି ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଥିଲେ।

ଏ ଅବସରରେ ରାଜ୍ୟର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ଭୁବନେଶ୍ବରର ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଇଂଜିନିୟରିଂ ମହାବିଦ୍ୟାଳୟ ଭାବେ ବ୍ରହ୍ମପୁରର ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକନଲୋଜି (ନିଷ୍ଟ), ରାଜ୍ୟର ଶ୍ରେଷ୍ଠ ବିକଶିତ ବିଦ୍ୟାଳୟ ଭାବେ ଭୁବନେଶ୍ବରର ଦି ଡିଏନ୍‌ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ କଟକର କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ରାଜ୍ୟର ଶ୍ରେଷ୍ଠ ଆଇଏଏସ୍‌ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାବେ ଭୁବନେଶ୍ବରର ଆପ୍ଟି ପ୍ଲସ୍‌ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌, ରାଜ୍ୟର ଶ୍ରେଷ୍ଠ ପଲିଟେକନିକ୍‌ କଲେଜ ଭାବେ ବାରିପଦାର ଡିଭାଇନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜି, ଓଡ଼ିଶାରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପ୍ରଫେସନାଲ୍‌ ଶିକ୍ଷା ଦେବାରେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଭାବେ ରାୟପୁରର ଆଇଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟ, ରାଜ୍ୟର ଶ୍ରେଷ୍ଠ ଆବାସିକ ବିଦ୍ୟାଳୟ ଭାବେ ଭୁବନେଶ୍ବର ଟାଇମ୍ସ ସ୍କଲାର୍ସ ଗୁରୁକୂଳ, ରାଜ୍ୟର ଶ୍ରେଷ୍ଠ ମେଡିକାଲ ପ୍ରଶିକ୍ଷଣ ଅନୁଷ୍ଠାନ ଭାବେ ଭୁବନେଶ୍ବରର କ୍ୟାରିଅର୍‌ ହାଇଟ୍ସ, ରାଜ୍ୟର ଶ୍ରେଷ୍ଠ ମ୍ୟାନେଜମେଣ୍ଟ କଲେଜ ଭାବେ ଭୁବନେଶ୍ବରର ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ୟୁଏସ୍‌‌ବିଏମ୍)ଙ୍କୁ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦ ଶିକ୍ଷାନୁଷ୍ଠାନମାନଙ୍କୁ ସମ୍ମାନିତ କରିଥିଲେ। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର ଡିନ୍‌ ପ୍ରଫେସର ଜ୍ୟୋତିରଂଜନ ଦାସ, ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକନଲୋଜି (ନିଷ୍ଟ)ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସ୍ବାଇଁ, ଦି ଡିଏନ୍‌ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲର ଉପାଧ୍ୟକ୍ଷ ଓ ବିଦ୍ୟାଳୟ ପୁରୋଧା ପଞ୍ଚମୀ ମାନୁ ଉକିଲ, କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ ଡ. ବିଜୁନି ଚରଣ ସୁତାର, ଆପ୍ଟି ପ୍ଲସ୍‌ ଏକାଡେମୀ ଅଫ୍‌ ସିଭିଲ ସର୍ଭିସେସ୍‌‌ର ନିର୍ଦ୍ଦେଶକ ଡ. ସୁସିଜିତ ସାହୁ, ଡିଭାଇନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟରିଂ ଆଣ୍ଡ ଟେକନଲୋଜିର ନିର୍ଦ୍ଦେଶକ ଇଂ. ବିପ୍ଲବ ଭଞ୍ଜନ ବୁଗୁଡ଼ାଇ, ଆଇଏସ୍‌ବିଏମ୍‌ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ବି.ପି. ଭୋଳ, ଟାଇମ୍ସ ସ୍କଲାର୍ସ ଗୁରୁକୂଳର ସିଇଓ ସୋନାଲି ଶୁଭଶ୍ରୀ ମିଶ୍ର, କ୍ୟାରିଅର୍‌ ହାଇଟ୍ସର ନିର୍ଦ୍ଦେଶକ ରାଧେଶ୍ୟାମ ମିଶ୍ର, ୟୁନାଇଟେଡ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ (ୟୁଏସ୍‌‌ବିଏମ୍)ର ପ୍ଳେସମେଣ୍ଟ୍‌ ସେଲ୍‌ ମୁଖ୍ୟ ପ୍ରଫେସର ସମୀର କୁମାର ପାତ୍ର ସମ୍ମାନ ଗ୍ରହଣ କରିବା ସହ ସମ୍ମାନର ପ୍ରତ୍ୟୁତ୍ତର ଅଭିଭାଷଣ ରଖିଥିଲେ।

ଚଳିତ ବର୍ଷର ଏହି ସମ୍ମାନ ଲାଗି ବିଚାରକ ମଣ୍ଡଳୀ ସଦସ୍ୟ ଥିଲେ ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. କୁମରବର ଦାସ ଓ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦ।

ମଞ୍ଚ ପରିଚାଳନା କରିଥିଲେ ଆଦ୍ୟାଶ୍ରୀ। ଅନୁଷ୍ଠାନ ପକ୍ଷରୁ ଗିରୀଶ ରଂଜନ ସାହୁ, ସତ୍ୟବ୍ରତ ବଳିଆରସିଂହ, ବୀରେନ୍‌ କୁମାର ସାହୁ, ଗୀତାଞ୍ଜଳି ମିଶ୍ର ଓ ଇପ୍ସିତା ଆଚାର୍ଯ୍ୟ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

ଓଡ଼ିଶା ଶିକ୍ଷା ସମ୍ମାନ ଭିନ୍ନ ଓଡ଼ିଆ ମିଡିଆ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ଓଡ଼ିଶା ଉତ୍କର୍ଷ ସମ୍ମାନ, ଓଡ଼ିଶା ଯୁବ ସମ୍ମାନ ଓ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ମଧ୍ୟ ଆୟୋଜିତ କରାଯାଇଥାଏ। ଅନୁରୂପ ଭାବେ ଅନୁଷ୍ଠାନ ପକ୍ଷରୁ କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ହେଲ୍‌ଥ କନକ୍ଲେଭ୍, ନୟାଗଡ଼ ସାହିତ୍ୟ ଉତ୍ସବ ଓ କୋଣାର୍କ କଳା ଓ ସାହିତ୍ୟ ଉତ୍ସବ ମଧ୍ୟ ଆୟୋଜିତ କରାଯାଇଥାଏ। ଓଡ଼ିଆ ମିଡିଆ ପକ୍ଷରୁ ପେନ୍‌ ଇନ୍‌ ବୁକ୍ସ ନାମରେ ଏକ ପ୍ରକାଶନ ସଂସ୍ଥା ଓ ଓଡ଼ିଶା ଲିଙ୍କ ନାମରେ ଏକ ଖବର ସରବରାହ ପୋର୍ଟାଲ ପରିଚାଳିତ ହେଉଛି।

Leave A Reply

Your email address will not be published.