Odisha Link
Bridging the Missing Links in Odisha

ଆଜି ପବିତ୍ର ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ

ପୁରୀ: ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି। ଏଥିପାଇଁ ଶ୍ରୀମନ୍ଦିରଠୁ ଆରମ୍ଭ କରି ସମସ୍ତ ଦେବାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ନୀତିକାନ୍ତି। ବିଶେଷକରି ଆଜିଠୁ ପହିଲି ଭୋଗ ଆରମ୍ଭ ହୋଇଥାଏ। ପହିଲି ଭୋଗରେ ବିରି, ଗହମଚୂନା ଘୃତ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଆଦି ଶ୍ରୀଜିଉଙ୍କ ନିକଟରେ ଲାଗି ହୋାଇଛି। ଗୋପାଳବଲ୍ଲଭ ପରେ ପହିଲି ଭୋଗ ସଂପନ୍ନ ହୋଇଛି।

ତେବେ‌ ଶ୍ରୀମନ୍ଦିର ପ୍ରଶାସନର ନୂତନ ଏସଓପି ଅନୁଯାୟୀ ଆଜିଠାରୁ ଶ୍ରୀମନ୍ଦିରରେ ଭୋର ୫ଟା ୩୦ ରୁ ରାତ୍ର ୯ଟା ୩୦ ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଗୁରୁବାର ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ପୁରାଣରେ ଅଛି ପୌଷ ମାସରେ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି। ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି। ପୌଷ ପୂର୍ଣ୍ଣିମା ଠାରୁ ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ପ୍ରସ୍ତୁତ କରାଯାଏ। ପହିଲି ଭୋଗ ମହାପ୍ରଭୁଙ୍କର ଆଦ୍ୟ ଭୋଗ ହୋଇଥିବାରୁ ଏହାକୁ ବଡ଼ି ଭୋରୁ ଲାଗି କରାଯାଏ। ବିରି, ଗହମରେ ପ୍ରସ୍ତୁତ ୩୨ ପ୍ରକାର ପିଠା ପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯିବ। ପହିଲି ଭୋଗରେ ମୁଖ୍ୟତଃ ବଡ଼ଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା ଓ ବଡ଼ି ଆଦି ଭୋଗ କରାଯାଇଥାଏ। ପହିଲି ଭୋଗ ସମୟରେ ଦିବା ପହୁଡ଼ କରାଯିବାର ନୀତି ମଧ୍ୟ ରହିଛି।

Leave A Reply

Your email address will not be published.