Odisha Link
Bridging the Missing Links in Odisha

ଓଡ଼ିଶାରେ ମିଶନାରୀ ସେବା ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ୭୯ ଲକ୍ଷ ଟଙ୍କା ଅନୁଦାନ

ଭୁବନେଶ୍ବର: ମିସନାରୀଜ୍‌ ଅଫ୍‌ ଚାରିଟୀ ନାମକ ଖ୍ରୀଷ୍ଟିଆନ୍‌ ସେବା ସଂସ୍ଥାକୁ ୭୯ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଦିଆଯିବ। କୋଲକାତାରେ ଥିବା ମିସନାରୀଜ୍‌ ଅଫ୍‌ ଚାରିଟୀ ଦ୍ବାରା ଓଡ଼ିଶାରେ ପରିଚାଳିତ ୧୩ଟି ଅନୁଷ୍ଠାନରେ ଏହି ଅନୁଦାନ ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଦିଆଯାଇଥିବା ବିବୃତିରେ ଏହା କହାଯାଇଛି। ମୋଟ ୧୩ଟି ଅନୁଷ୍ଠାନ ପାଇଁ ୭୮.୭୬ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି। ମିସନାରୀଜ୍‌ ଅଫ୍‌ ଚାରିଟୀ ଅଧୀନ ଏହି ୧୩ ଗୋଟି ସଂସ୍ଥା ଦ୍ବାରା ୮ଟି ଜିଲ୍ଲାରେ ପରିଚାଳିତ ଅନାଥଗୃହ ଓ କୁଷ୍ଠ ସେବା ସଂଘରେ ୯୦୦ରୁ ଅଧିକ ହିତାଧିକାରୀ ଉପକୃତ ହେବେ ବୋଲି ବିବୃତିରେ ଦର୍ଶାଯାଇଛି।

ମଦର ଟେରେସାଙ୍କ ଦ୍ବାରା ପ୍ରତିଷ୍ଠିତ ମିସନାରୀଜ୍‌ ଅଫ୍‌ ଚାରିଟୀର ସମସ୍ତ ବ୍ୟାଙ୍କ ଖାତାରେ ତାଲା ପକାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ନେଇଛି ବୋଲି ଡିସେମ୍ବର ୨୭ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୟାନ ଦେଇ ବିବାଦକୁ ଆସିଥିଲେ। ପରେ ଏହା ମିଥ୍ୟା ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କହାଯାଇଥିଲା। ଗୃହ ମନ୍ତ୍ରଣାଳୟ ମିସନାରୀଜ୍‌ ଅଫ୍‌ ଚାରିଟୀର କୌଣସି ଖାତା ଫ୍ରୀଜ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇନାହିଁ, ବରଂ ନିଜେ ମିସନାରୀଜ୍‌ ଅଫ୍‌ ଚାରିଟୀ ଅନୁଷ୍ଠାନ ଏହାର ଖାତାରେ ତାଲା ପକାଇବା ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରିଛି ବୋଲି ଗୃହ ମନ୍ତ୍ରଣାଳୟ ସଫେଇ ଦେଇଥିଲା।

ଓଡ଼ିଶାରେ ରିଲିଫ୍‌ ପାଣ୍ଠିରୁ ଅର୍ଥ ବରାଦ କରି ମିସନାରୀଜ୍‌ ଅଫ୍‌ ଚାରିଟୀ ପରିଚାଳିତ ଅନାଥାଶ୍ରମ ଓ କୁଷ୍ଠ ସେବା କେନ୍ଦ୍ରରେ ଖାଦ୍ୟ ଓ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଗତ ଡିସେମ୍ବର ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏ ଘଟଣାର ଗୋଟିଏ ସପ୍ତାହ ପରେ ସେ ୭୯ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Leave A Reply

Your email address will not be published.