Odisha Link
Bridging the Missing Links in Odisha

ନାଟକ ମାଧ୍ୟମରେ ଟିବି ବିରୁଦ୍ଧରେ ଲଢ଼େଇ

ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ମହାମାରୀ ସହ ଲଢ଼ୁଥିବା ବେଳେ ଟ୍ୟୁବରକ୍ୟୁଲୋସିସ୍ (ଟିବି) ଏବଂ ଡ୍ରଗ୍‌-ରେଜିଷ୍ଟାଂଟ ଟ୍ୟୁବରକ୍ୟୁଲୋସିସ୍ (ଡିଆର୍‌-ଟିବି) ରୋଗର ନିରାକରଣ କ୍ଷେତ୍ରରେ ଧ୍ୟାନ ହଟିବାରେ ଲାଗିଛି।

ସାରା ବିଶ୍ୱରେ ସର୍ବାଧିକ ଟିବି ଏବଂ ଡିଆର୍‌-ଟିବି ସମସ୍ୟା ଭାରତରେ ରହିଥିବା ବେଳେ କେବଳ ଭୁବନେଶ୍ୱରରେ ପ୍ରତ୍ୟେକ ବର୍ଷ ୬୦୦୦ ନୂଆ ମାମଲା ସାମ୍ନାକୁ ଆସୁଛି। ତେବେ ଏହି ରୋଗର ନିରାକରଣ ନେଇ ସାମାଜିକ ସଚେତନତା ଓ ସହଯୋଗ ନ ରହିଲେ ଏହି ସମସ୍ୟାର ସମାଧାନ କରିବା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସହରରେ ଏକ ପଥପ୍ରାନ୍ତ ନାଟକ ଗୋଷ୍ଠୀ ‘ସଂଯୋଗ’ ଦ୍ୱାରା ପ୍ରାୟ ୧୦୦ ଟି ବସ୍ତିରେ ନାଟକ ମାଧ୍ୟମରେ ଟିବି ନିରାକରଣ ଏବଂ ସାମାଜିକ ପରିବର୍ତନ ନେଇ ନାଟକ ମଂଚସ୍ଥ କରିବାକୁ ଏକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। କୋଭିଡ ନିୟମ ପାଳନ କରି ଏହି ପଥପ୍ରାନ୍ତ ନାଟକ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ନାଟକଟି ସମ୍ ହସ୍ପିଟାଲ୍ କ୍ୟାମ୍ପସରେ ସୋଆର ପ୍ରୋ-ଭାଇସ୍ ଚାନ୍ସେଲର୍ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁଙ୍କ ଦ୍ୱାରା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ସେଂଟର ଫର କାଟାଲାଇଜିଂ ଚେଞ୍ଜ (ସି-ଥ୍ରୀ) ନାମକ ଏକ ଜାତୀୟ ସ୍ତରର ଏନ୍‌ଜିଓ ଏହି କାର୍ଯ୍ୟକ୍ରମ ନିମନ୍ତେ ସାହାଯ୍ୟ ଯୋଗାଉଛି। ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ସୁମିତ୍ରା ପଟ୍ଟନାୟକ ଏହି ପଥପ୍ରାନ୍ତ ନାଟକ ପ୍ରସ୍ତୁତିର ନେତୃତ୍ୱ ନେଇଥିଲେ।

“ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବା ଦିଗରେ ସମାଜର ଏକ ବଡ ଭୂମିକା ରହିଛି । ଏଭଳି ଗୁରୁତର ପ୍ରସଙ୍ଗରେ ସମାଜର ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ନେଇ ଆମେ ଅନେକ ପ୍ରଚେଷ୍ଟା କରୁଛୁ । ଟିବି, ଏହାର ଚିହ୍ନଟ, ଚିକିତ୍ସା, ଯତ୍ନ ଏବଂ ନିରାକରଣ କ୍ଷେତ୍ରରେ ଭୁବନେଶ୍ୱରର ମୁଖ୍ୟତଃ ବସ୍ତିଗୁଡ଼ିକରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ” ବୋଲି କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡଃ ଇ. ଭେଙ୍କଟ ରାଓ କହିଛନ୍ତି ।

ସି ଥ୍ରୀର ପ୍ରୋଗ୍ରାମ ଅଫିସର ଶ୍ରୀ ବିଭୁତି ପ୍ରଧାନ କହିଛନ୍ତି ଯେ ପଥପ୍ରାନ୍ତ ନାଟକ ଦ୍ୱାରା ଏଭଳି ସଚେତନତା ଅନେକ ଲୋକଙ୍କ ନିକଟରେ ପହଂଚାଇ ହେବ । ଏ ଦିଗରେ ସମ୍ ହସ୍ପିଟାଲ ଅନେକ ସହଯୋଗ କରିଛି । ଏହାଦ୍ୱାରା ଟିବିର ଚିହ୍ନଟ ଏବଂ ନିରାକରଣ ଦିଗରେ ଏକ ବଡ଼ ପରିବର୍ତନ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.