Odisha Link
Bridging the Missing Links in Odisha

୫ ରାଜ୍ୟରେ ବାଜିଲା ନିର୍ବାଚନ ବିଗୁଲ, କେବେ କେଉଁ ରାଜ୍ୟରେ ହେବ ନିର୍ବାଚନ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା କାଳରେ ବାଜିଲା ନିର୍ବାଚନ ବିଗୁଲ। ଦେଶର ୫ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଗୋଆ, ପଞ୍ଜାବ, ଉତ୍ତର ପ୍ରଦେଶ, ମଣିପୁର ଓ ଉତ୍ତରାଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଣୀଲ ଚନ୍ଦ୍ରା।

ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା କହିଛନ୍ତି, ଗତ ଦୁଇ ବର୍ଷ ହେବ କୋଭିଡ୍ ନିୟମକୁ ଅନୁସରଣ କରି ନିର୍ବାଚନ ହୋଇ ଆସୁଛି। ସୁରକ୍ଷିତ ନିର୍ବାଚନ କରାଇବା ଆମର ଲକ୍ଷ୍ୟ । ଏଥର ୫ଟି ରାଜ୍ୟରେ ମୋଟ ୬୮୦ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଏହି ୫ ରାଜ୍ୟରେ ୧୮ କୋଟି ୩୪ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୮.୫୫ କୋଟି ମହିଳା ଅଛନ୍ତି। ସେହିପରି ୨୪.୯ ଲକ୍ଷ ଭୋଟର ପ୍ରଥମ ଥର ମତଦାନ କରିବେ। ଉତ୍ତରପ୍ରଦେଶରେ ୨୯% ନୂତନ ଭୋଟର ଭୋଟ୍‌ ଦେବେ।

ଶ୍ରୀ ଚନ୍ଦ୍ରା କହିଛନ୍ତି, ସର୍ବମୋଟ ୨ ଲକ୍ଷ ୧୫ ହଜାର ୩୬୮ଟି କେନ୍ଦ୍ରରେ ମତଦାନ ହେବ। ପ୍ରତି ବୁଥ୍‌ରେ କେବଳ ୧,୨୫୦ ଜଣ ଭୋଟ୍ ଦେବେ। ପୁଲିଂ ବୁଥ୍‌ ନିକଟରେ ୱେଟିଂ ଏରିଆ, ଶୌଚାଳୟ, ରାମ୍ପସ, ସାନିଟାଇଜର ଓ ମାସ୍କ ଉପରେ ଗୁରୁତ୍ୱାରୋପ କରାଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବାଲଟ୍‌ ସୁବିଧା କରାଯାଇଛି। ନିର୍ବାଚନ ପରିଚାଳନାରେ ସାମିଲ ହେବାକୁ ଥିବା ସବୁ ଅଧିକାରୀ କୋଭିଡ୍‌ର ଡବଲ ଡୋଜ୍ ଟିକା ନେବା ଜରୁରୀ ବୋଲି ସେ କହିଛନ୍ତି।

କେଉଁ ରାଜ୍ୟରେ କେତେ ପର୍ଯ୍ୟାୟରେ ହେବ ନିର୍ବଚାନ, ଜାଣନ୍ତୁ

ଫେବ୍ରୁଆରୀ ୧୦ ତାରିଖରୁ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ଏହା ସହିତ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ଓ ମଣିପୁରରେ ୨ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେହିପରି ପଞ୍ଜାବ, ଗୋଆ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ।

ଉତ୍ତର ପ୍ରଦେଶରେ ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ସେହିପରି ରାଜ୍ୟରେ ଫେବ୍ରୁଆରୀ ୧୪ରେ ଦ୍ୱିତୀୟ, ୨୦ରେ ୩ୟ, ୨୩ରେ ୪ର୍ଥ, ୨୭ରେ ୫ମ, ମାର୍ଚ୍ଚ ୩ରେ ଷଷ୍ଠ ଓ ୭ ତାରିଖରେ ସପ୍ତମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ। ମଣିପୁରରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ହେବ ଭୋଟ୍ ଗ୍ରହଣ ହେବ। ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ଫେବ୍ରୁଆରୀ ୧୪ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

Leave A Reply

Your email address will not be published.