Odisha Link
Bridging the Missing Links in Odisha

ଜାନୁଆର ୧୦ରେ ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା

ଯୋଗଦେବେ ବଲିଉଡ୍‌ ଗୀତିକାର ସମୀର

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦଙ୍କ ଲିଖିତ ଓ ନିର୍ଦ୍ଦେଶିତ ୮ଟି ମନଛୁଆଁ ଗଜଲଧର୍ମୀ ସଂଗୀତକୁ ନେଇ ଓଡ଼ିଆ ମିଡିଆ ପକ୍ଷରୁ ଆସନ୍ତା ୧୦ ତାରିଖରେ ଆୟୋଜିତ ହେଉଛି “ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା ୨୦୨୨”। ରବୀନ୍ଦ୍ର ମଣ୍ଡପ ପରିସରରେ ଆୟାଜିତ ହେବାକୁ ଥିବା ଏହି ଉତ୍ସବରେ ହିନ୍ଦୀ ସିନେମା ଜଗତର ଜଣାଶୁଣା ଗୀତିକାର ସମୀର ଅଂଜାନ୍‌ ମୁଖ୍ୟଅତିଥି ଭାବେ ଉପସ୍ଥିତ ରହିବେ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା ଏକ ବିବୃତିରେ ଜଣାଇଛନ୍ତି।

ସଂଗୀତରେ ନୂଆ ପରୀକ୍ଷାନିରୀକ୍ଷା ପାଇଁ ସଂଗୀତ ବିଜ୍ଞାନୀ ଭାବେ ଜଣାଶୁଣା ପ୍ରେମ୍‌ ଆନନ୍ଦ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ମରାଠୀ ଓ ଅନ୍ୟାନ୍ୟ ଭାରତୀୟ ଭାଷାରେ ଏଯାଏଁ ୫୦୦୦ରୁ ଅଧିକ ସଂଗୀତରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ସିନେମା ସମେତ ଅପେରା, ଆଲ୍‌ବମ୍‌, ଭଜନ ଓ ବିଜ୍ଞାପନ ଦୁନିଆରେ ନିଜର ନିଆରା ନିପୁଣତା ଦେଖାଇଥିବା ପ୍ରେମ୍‌ ଆନନ୍ଦ ପ୍ରଥମ ଥର ପାଇଁ ଗଜଲ୍‌ ଶୈଳୀରେ ଓଡ଼ିଆ ଗୀତକୁ ନେଇ “ଅନ୍ତଃସ୍ବର” ଶୀର୍ଷକ ଏକ ଆଲ୍‌ବମ୍‌ ପ୍ରସ୍ତୁତ କରୁଛନ୍ତି। ଜାନୁଆାରୀ ୧୦ ତାରିଖ ସଂଧ୍ୟାରେ ହେବାକୁ ଥିବା “ପ୍ରେମ୍‌ ଆନନ୍ଦ ଗଜଲ ସଂଧ୍ୟା ୨୦୨୨”ରେ ଏହି ଆଲ୍‌ବମ୍‌ର ଗୀତ ସବୁକୁ ମଞ୍ଚରେ ପରିବେଷଣ କରିବେ ରାଜ୍ୟର ପ୍ରସିଦ୍ଧ କଣ୍ଠଶିଳ୍ପୀ ଦୀପ୍ତିରେଖା, ସୌରଭ, ସମୀକ୍ଷା, ଅରୋଶିଷ, ଅଭିଜିତ, ଶଶାଙ୍କଶେଖର, ଶ୍ରୀଚରଣ ଓ ବିଶ୍ବଜିତ। ନିଜେ ପ୍ରେମ୍‌ ଆନନ୍ଦ ମଞ୍ଚରେ ଉପସ୍ଥିତ ରହିବା ସହ ଉତ୍ସବକୁ ଜଣାଶୁଣା ଗୀତିକାର ବିଜୟ ମଲ୍ଲ ପରିଚାଳନା କରିବେ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋର ଅଧ୍ୟକ୍ଷ ଶ୍ରୀଧର ପାତ୍ର, ଓଡ଼ିଶା ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶକ ରଂଜନ କୁମାର ଦାସ, ଜୟ ଭାରତ ସ୍ପାଇସେସ୍‌ର ଅଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ଓ ଟିମ୍‌ ଆଡ୍‌ମାର୍କର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଉତ୍ସବରେ ଅତିଥି ଭାବେ ଉପସ୍ଥିତ ରହିବେ।

ରାଜ୍ୟରେ ଓମିକ୍ରମ୍‌ ସଂକ୍ରମଣ ଜନିତ କଟକଣା ମାନି ଅନୁମୋଦିତ ସଂଖ୍ୟକ ନିମନ୍ତ୍ରିତ ଦର୍ଶକଙ୍କ ଉପସ୍ଥିତିରେ ଉତ୍ସବ ଆୟୋଜନ କରାଯିବ ବୋଲି ଶ୍ରୀ ପଣ୍ଡା ଜଣାଇଛନ୍ତି। କୋଭିଡ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସେ ନିମନ୍ତ୍ରିତ ଦର୍ଶକମାନଙ୍କୁ ନିବେଦନ କରିଛନ୍ତି।

Leave A Reply

Your email address will not be published.