Odisha Link
Bridging the Missing Links in Odisha

ରାଜ୍ୟପାଳଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଲକ୍‌ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିବାଦରେ ଲାଗୁନି ବିରାମ। ବରଂ ଦିନକୁ ଦିନ ଘନେଇବାରେ ଲାଗିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ ମଧ୍ୟରେ ଲାଗି ରହିଥିବା ବିବାଦ। ଏସବୁ ମଧ୍ୟରେ ରାଜ୍ୟପାଳଙ୍କ ବିରେଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମମତା ବାନାର୍ଜୀ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟପାଳ ଫୋନ୍‌ ଟ୍ୟାପିଂ କରୁଛନ୍ତି। ଟ୍ୱିଟରେ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ବ୍ଲକ କରିବା ପାଇଁ ମୋତେ ବାଧ୍ୟ କରାଯାଇଛି । ପ୍ରତିଦିନ ସେ ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କରି ଧମକପୂର୍ଣ୍ଣ ଟ୍ୱିଟ କରୁଥିଲେ, ସତେ ଯେପରି ସମସ୍ତେ ତାଙ୍କର କ୍ରୀତଦାସ। ଏଥିସହିତ ସେ ଆହୁରି କହିଛନ୍ତି ଯେ ରାଜ୍ୟପାଳ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ଧମକ ଦେଉଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟପାଳ କୌଣସି କଥା ଶୁଣୁ ନଥିବା ଏବଂ ସଳଟି ସମସ୍ତଙ୍କୁ ଧମକାଉଥିବା ଅଭିଯୋଗ କରି ଏ ସମ୍ପର୍କରେ ପିଏମ୍‌ ମୋଦିଙ୍କୁ ଚିଠି ଲେଖିଛି। ଥରେ କି ଦୁଇ ଥର ନୁହେଁ ୪ ଥର ଚିଠି ଲେଖିଛି ବୋଲି ମମତା କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ରାଜ୍ୟପାଳ ଧନକର ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଇ ରାଜ୍ୟର ମମତା ସରକାରଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟପାଳ ଅଭିଯୋଗ କରିଥିଲେ, ରାଜ୍ୟରେ ମାନବାଧିକାରର ହନନ ଏବଂ ହିଂସା ଘଟଣାକୁ ବରଦାସ୍ତ କରାଯିବନି। ଏହାସହ ସେ କହିଥିଲେ, କୌଣସି ପ୍ରକାର ଅପମାନ ତାଙ୍କୁ କାର୍ତ୍ତବ୍ୟ ସମ୍ପାଦନ କରିବାକୁ ବିମୁଖ କରିପାରିବ ନାହିଁ। ହିଂସା ଏବଂ ଲୋକତନ୍ତ୍ର ଏକା ସଙ୍ଗରେ ଚାଲିପାରିବ ନାହିଁ। ଏହାସହ ସେ ସମସ୍ତେ ଶାନ୍ତି ଏବଂ ଅହିଂସାର ଦୂତ ହୋଇ ରାଷ୍ଟ୍ରପିତାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ଆହ୍ୱାନ କରିଥିଲେ।

Leave A Reply

Your email address will not be published.