Odisha Link
Bridging the Missing Links in Odisha

ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ: ୨୮ଟି ବ୍ୟାଙ୍କ୍‌ରୁ ୨୩,୦୦୦ କୋଟି ହଡ଼ପ

ଓଏଲ୍ ବ୍ୟୁରୋ: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍‌ ଠକେଇ ସାମନାକୁ ଆସିଛି। ଗୁଜୁରାଟର ଏକ ଜାହାଜ ନିର୍ମାଣ କମ୍ପାନୀ ବିଭିନ୍ନ ବ୍ୟାଙ୍କ୍‌ରୁ ୨୨,୮୪୨ କୋଟି ଟଙ୍କା ଠକିନେଇଛି। ଶନିବାର ଦିନ ଏଭଳି ବଡ଼ ଧରଣର ଠକେଇ ସାମନାକୁ ଆସିବା ପରେ କମ୍ପାନୀ ନିର୍ଦ୍ଦେଶକଙ୍କ ନାମରେ ମାମଲା ରୁଜୁ କରିଛି ସିବିଆଇ।

କମ୍ପାନୀର ନାମ ଏବିଜି ସିପୟାର୍ଡ ଲିମିଟେଡ। ଏହି କମ୍ପାନୀ ବିଭିନ୍ନ ସମୟରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୨,୯୨୫ କୋଟି ଟଙ୍କା, ଆଇସିଆଇସିଆଇ ବ୍ୟାଙ୍କରୁ ୭,୦୮୯ କୋଟି ଟଙ୍କା, ଆଇଡିବିଆଇ ବ୍ୟାଙ୍କରୁ ୩,୬୩୪ କୋଟି ଟଙ୍କା, ପଞ୍ଜାବ ନାସନାଲ ବ୍ୟାଙ୍କରୁ ୧,୨୪୪ କୋଟି ଟଙ୍କା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କରୁ ୧,୨୨୮ କୋଟି ଟଙ୍କା ସମେତ ଛୋଟବଡ଼ ମୋଟ ୨୮ଟି ବ୍ୟାଙ୍କରୁ ଋଣ ନେଇ ଆଉ ଫେରାଇନାହିଁ। ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଋଷି କମଳେଶ ଅଗ୍ରଓ୍ବାଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଥନମ ମୁଥୁସ୍ବାମୀ, ନିର୍ଦ୍ଦେଶକ ଅଶ୍ବୀନୀ କୁମାର, ନିର୍ଦ୍ଦେଶକ ରବି ନେଭଟିଆ ଓ ନିର୍ଦ୍ଦେଶକ ସୁଶୀଳ କୁମାର ଅଗ୍ରଓ୍ବାଲଙ୍କ ନାମରେ ସିବିଆଇ ମାମଲା ରୁଜୁ କରିଛି।

ପୂର୍ବରୁ ହୀରା ବ୍ୟବସାୟୀ ନିରବ ମୋଦି ଓ ମେହୁଲ ଚୋସକି ୧୪,୦୦ କୋଟି ଟଙ୍କା ଠକିଥିବା ବେଳେ ଏବିଜି ସିପୟାର୍ଡ ଏହାଠାରୁ ୯,୦୦୦ କୋଟି ଟଙ୍କାର ଅଧିକ ଠକେଇ କରି ଦେଶର ସବୁଠୁ ବଡ଼ ବ୍ୟାଙ୍କ ଠକ ସାଜିଛି। ୨୦୧୨ରୁ ୨୦୧୭ ମଧ୍ୟରେ ଏହି ଠକେଇ ହୋଇଛି।

୧୯୮୫ରେ ଋଷି ଅଗ୍ରଓ୍ବାଲଙ୍କ ଦ୍ବାରା ସ୍ଥାପିତ ଏ କମ୍ପାନି ଗୁଜରାତର ସୁରତ ଓ ଦହେଜରେ କାର୍ଯ୍ୟ କରୁଛି ଏବଂ ଏହା ଏବିଜି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ଏକ ଶାଖା। ଏହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ରହିଛି। ଏହା ଗୋଆରେ ଦେଶର ସବୁଠୁ ବଡ଼ ଜାହାଜ ମରାମତି କରଖାନା ବସାଇଛି।

Leave A Reply

Your email address will not be published.