Odisha Link
Bridging the Missing Links in Odisha

ନୟାଗଡ଼ରେ ଛିଡ଼ୁଛି ବିଜେଡି ଭୋଟ୍: ଦଶପଲ୍ଲା ଓ ଖଣ୍ଡପଡ଼ାରେ ବଢ଼ୁଛି

ଖୋର୍ଧା ଜିଲ୍ଲା ଭଳି ନୟାଗଡ଼ ଜିଲ୍ଲାରେ ବିଜେଡି ପାଇଁ "ନେତା ଅଦଳବଦଳ" ସୂତ୍ର ସଫଳତା ଆଣିବ

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟ୍‌ବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ ଦଶପଲ୍ଲା ଓ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ଥିବା ବେଳେ ନୟାଗଡ଼ରେ ଭୋଟ୍‌ ହାର କ୍ରମାଗତ ଭାବେ ଖସିଚାଲିଛି।

ଆଉ ମାତ୍ର ସପ୍ତାହେ ପରେ ପଞ୍ଚାୟତ ନିର୍ବାଚନ ଥିବାବେଳେ କିଭଳି ଭୋଟ୍‌ ବୃଦ୍ଧି ହେବ ସେ ନେଇ ସ୍ଥାନୀୟ ବିଜେଡି ନେତାଙ୍କ ଚିନ୍ତା ବଢ଼ିଛି। ପଞ୍ଚାୟତ ସ୍ତରରେ ବିରୋଧୀ ବିଜେପି ଓ କଂଗ୍ରେସ୍‌ର ମୂଳଦୁଆ ଦୃଢ଼ ହେଉଥିବା ବେଳେ ତରବରିଆ ଭାବେ ଭୋଟ୍‌ ସଂଖ୍ୟା ବଢ଼ାଇବା ଲକ୍ଷରେ ଗତ କିଛି ମାସ ଧରି ମାରାଥନ୍‌ ପଞ୍ଚାୟତ ଭ୍ରମଣରେ ମାତିଛନ୍ତି ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ। ଅନ୍ୟପଟେ ସମାନ ଲୋକଙ୍କୁ ବାରମ୍ବାର ଦଳରେ ସାମିଲ କରାଇ ଓ ଏ ସମ୍ପର୍କିତ ଖବର ଲୋକଙ୍କ ପାଖରେ ପହଞ୍ଚାଇ ଅନ୍ୟ ଦଳର ନେତା ବିଜେଡି ଆଡ଼କୁ ଆକର୍ଷିତ ହେଉଥିବାର ଭ୍ରମ ସୃଷ୍ଟି କରାଯାଉଛି।

୨୦୦୯ ମସିହାରେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅରୁଣ କୁମାର ସାହୁ ୨୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ୨୦୧୪ରେ ଏହି ବ୍ୟବଧାନ ୨୧ ହଜାରକୁ ଖସି ଆସିଥିବା ବେଳେ ୨୦୧୯ରେ ସେ ମାତ୍ର ୧୫ ହଜାର ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ଦିନକୁ ଦିନ ନୟାଗଡ଼ରେ ବିଜେଡି ଦୁର୍ବଳ ହେଉଥିବା ବେଳେ ଏହା ପଛରେ ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନଅସନ୍ତୋଷ ଓ ସଂଗଠନ ଭିତରେ ନେତୃତ୍ବ ପ୍ରତି ବିମୁଖତା ପ୍ରମୁଖ କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ତୃଣମୂଳ ସ୍ତରରେ କଂଗ୍ରେସ ଓ ବିଜେପିର ପ୍ରଦର୍ଶନ ଭଲ ହୋଇଥିଲା। ଏହାର ପ୍ରତ୍ୟକ୍ଷ ପ୍ରତିଫଳନ ୨୦୧୯ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିଥିଲା। ବିଜେଡି ଏଠାରେ ହାରିବ ବୋଲି ପ୍ରାୟତଃ ନିଶ୍ଚିତ ହୋଇଯାଇଥିବା ବେଳେ ଓଡ଼ଗାଁ ପଞ୍ଚାୟତରେ ଶେଷ ମୁହୂର୍ତ୍ତରେ ଦଳ ପ୍ରବଳ କସରତ କରି କୌଣସିମତେ କମ ଭୋଟ୍‌ ବ୍ୟଧାନରେ ଜିତି ସମ୍ମାନ ବଞ୍ଚାଇବାରେ ସଫଳ ହୋଇଥିଲା। ନୟାଗଡ଼ ପୌରାଞ୍ଚଳରେ ମଧ୍ୟ ଗତଥର ବିଜେଡିର ଶୋଚନୀୟ ପରାଜୟ ହୋଇଥିଲା। ତେବେ ଦଳ କୌଶଳ କରି ପରେ କଂଗ୍ରେସ ପାରିଷଦଙ୍କୁ ନିଜ ପଟକୁ ଆଣିବାରେ ସଫଳ ହୋଇଥିଲା।

ଚଳିତ ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳରେ ଅରୁଣଙ୍କ ପ୍ରତି କୁହୁଳୁଥିବା ଅସନ୍ତୋଷ ଓ ରାଗ ଦଳ ପାଇଁ ନିଆଁଝୁଲ ସାଜିପାରେ। ଏକାଧିକ ରାଜନୈତିକ ହତ୍ୟାକାଣ୍ଡ, ପରୀ ହତ୍ୟା ଘଟଣା ପରେ ସରପଞ୍ଚ ସୌମ୍ୟଙ୍କୁ ପଦରୁ ହଟାଯିବା, ସରପଞ୍ଚମାନଙ୍କୁ ଅଣଦେଖା କରି ଗ୍ରାମାଞ୍ଚଳରେ ମନମୁଖୀ କାର୍ଯ୍ୟାଦେଶ ବଣ୍ଟନ ଓ ବ୍ୟାପକ ପିସି କାରବାର ନେଇ ଖୋଦ୍‌ ଦଳୀୟ କର୍ମୀ ଓ ନେତା ଅସନ୍ତୋଷ ଥିବା ସୂଚନା ମିଳିଛି। ସେପଟେ ୨୦୧୭ରେ ଆଶାତୀତ ସଫଳତା ପାଇଥିବା କଂଗ୍ରେସ ଓ ବିଜେପି ମଧ୍ୟ ଏଥର ପଞ୍ଚାୟତ ଭୋଟ୍‌କୁ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ବିଧାୟକ ଶ୍ରୀ ସାହୁ ଏବେ କିଛିଦିନ ଧରି ମାରାଥନ୍‌ ପଞ୍ଚାୟତ ଗସ୍ତ କରି ଗ୍ରାମାଞ୍ଚଳ ପ୍ରତି ନିଜର ଦରଦ ପ୍ରଦର୍ଶନ କରିବାକୁ କସରତ୍‌ ଆରମ୍ଭ କରିଛନ୍ତି।

ରାଜ୍ୟ ସାରା ବିଜ୍ଞାପନ ଫଳକ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ସର୍ବସାଧାରଣ ସମ୍ପତ୍ତିର ମାଲିକ ଘୋଷଣା କରିବା ସହ ଏହାର ଯତ୍ନନେବାକୁ ଅନୁରୋଧ କରିଥିଲେ। ନୟାଗଡ଼ରେ ନବୀନଙ୍କ ସ୍ଥାନ ନେଇଛନ୍ତି ଅରୁଣ। ଗାଁ ଗାଁରେ ନବୀନଙ୍କ ବଦଳରେ ଅରୁଣଙ୍କ ବାର୍ତ୍ତା ଓ ଦସ୍ତଖତ ଥିବା ଅନୁରୂପ ଘୋଷଣାଫଳକ ଲାଗିଛି। ସେହିଭଳି ଅରୁଣ ନିଜକୁ ଦାର୍ଶନିକ ବୋଲି ବାରମ୍ବାର ପରିଚିତି ଦେବାକୁ ଚେଷ୍ଟା କରିବା, ଅତୀତରେ ସହର ଉପରେ ଏ ନେଇ ହୋର୍ଡିଂ ଲଗାଇବା ମଧ୍ୟ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିବା ସହ ବୁଦ୍ଧିଜୀବୀ ମହଲରେ ଅରୁଣଙ୍କ ପ୍ରତି ଅବଧାରଣା ଦିନକୁ ଦିନ ବୃଦ୍ଧିପାଉଛି। ଭାପୁର ବ୍ଲକ୍‌ରେ ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ କରି ଅରୁଣଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଜଣେ ବିଜେଡି ନେତା କୋଟିକୋଟି ଟଙ୍କା ହଡ଼ପ କରିବା ନେଇ ଖୋଦ ଉପଜିଲ୍ଲାପାଳ ରିପୋର୍ଟ ଦେବା ପରେ ଓ ଆଦିବାସୀ-ଦଳିତ ସମାଜ ପକ୍ଷରୁ ଦୀର୍ଘ ବିକ୍ଷୋଭ ପରେ ମଧ୍ୟ ସଂପୃକ୍ତ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଘଟଣା ଜିଲ୍ଲାବ୍ୟାପୀ ଅସନ୍ତୋଷ କୁହୁଳାଇଛି। ପୂର୍ବରୁ ପ୍ରଫୁଲ୍ଲ ମହାନ୍ତି, ଛବି ବର୍ଧନ ଓ ବସନ୍ତ ଡାକୁଆ ଭଳି ହତ୍ୟା ଘଟଣାରେ ସ୍ଥାନୀୟ ନେତୃତ୍ବଙ୍କ ସଂପୃକ୍ତି ନେଇ ଅଭିଯୋଗ ଉଠିଥିଲେ ହେଁ କୌଣସି ପ୍ରଭାବ ପଡ଼ିନଥିବାରୁ ନେତୃତ୍ବ ବିରୋଧରେ ସ୍ବର ଉତ୍ତୋଳନର ଜବାବ୍‌ ହିଂସାକାଣ୍ଡ ମାଧ୍ୟମରେ ଦିଆଯିବା ନେଇ ଏକ କୋକୁଆ ଭୟ ମଧ୍ୟ ବୁଦ୍ଧିଜୀବୀ ମହଲରେ ଖେଳିବୁଲୁଛି। ଅଭିଯୋଗର ଫର୍ଦ୍ଦ ଦୀର୍ଘ ଥିଲେ ବି ନିଜକୁ ମୃତ୍ୟୁ ବା ପ୍ରତିଶୋଧାତ୍ମକ କାର୍ଯ୍ୟାନୁଷ୍ଠାନ ଭୟରେ ନେତୃତ୍ବ ବିରୋଧରେ ମୁହଁ ଖୋଲିବାକୁ କେହି ସାହାସ କରିପାରୁନାହାନ୍ତି।

ନୟାଗଡ଼ରେ ବିଜେଡି ପକ୍ଷରୁ କ୍ରମାଗତ ଭାବେ ଜଣେ ୪ ଥର ବିଧାୟକ ହୋଇଥିବା ବେଳେ ଅରୁଣଙ୍କ ଭୋଟ୍‌ ବ୍ୟବଧାନ ମଧ୍ୟ କମିକମି ଚାଲିଛି। ୨୦୨୪ରେ ଏହି ବ୍ୟବଧାନ ଆହୁରି ଖସିବ ଓ ଦଳ ପରାଜୟର ସାମନା କରିପାରେ ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନୀୟ ଭୋଟର ଏହାର ଝଲକ ଦେଖାଇବାକୁ ସଜ ହେଉଥିବା ବେଳେ କଳେ ବଳେ କୌଶଳେ ପଞ୍ଚାୟତ ଅକ୍ତିଆର କରିବାକୁ ଅରୁଣ ପ୍ରଚୁର ପରିଶ୍ରମ କରୁଛନ୍ତି। ଖୋର୍ଧା ଜିଲ୍ଲାରେ ବିଜେଡି ୨୦୧୯ ନିର୍ବାଚନ ବେଳେ ପରୀକ୍ଷାମୂଳକ ଭାବେ “ନେତା ଅଦଳବଦଳ” (Leadership Reshuffle) ସୂତ୍ରରେ ସଫଳତା ପାଇଥିବା ବେଳେ ନୟାଗଡ଼ରେ ଅନୁରୂପ ସୂତ୍ର ପ୍ରୟୋଜ କଲେ ବିଜେଡି ଅବଶ୍ୟ ସଫଳତା ପାଇବ ବୋଲି ବିଜେଡିର ଶୁଭାକାଂକ୍ଷୀ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଆଗାମୀ ସାଧାରଣ ନିର୍ବାଚନରେ ଅରୁଣଙ୍କୁ ଅନ୍ୟତ୍ର ହଟାଇ ନୟାଗଡ଼ରେ ନୂଆମୁହଁ ଠିଆ କରାଇଲେ ବିଜେଡି ଅଧିକ ସଫଳତା ପାଇବ ବୋଲି ମତପ୍ରକାଶ ପାଇଛି।

ଅନ୍ୟପଟେ ଖଣ୍ଡପଡ଼ାରେ ବିଜେଡି ପ୍ରତିଥର ନୂଆ ପ୍ରାର୍ଥି ଦେବା ସହ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହେଉଛି। ଦଶପଲ୍ଲାରେ ୨୦୦୯ ଓ ୨୦୧୪ରେ ବିଜେଡି ଯଥାକ୍ରମେ ୩୯ ହଜାର ଓ ୫୭ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ୨୦୧୪ରେ ନୟାଗଡ଼ର ଭୋଟ ବ୍ୟବଧାନର ପ୍ରାୟ ୩ ଗୁଣା ଭୋଟ ବ୍ୟବଧାନରେ ଜିତିଛନ୍ତି ଦଶପଲ୍ଲା ପ୍ରାର୍ଥୀ। ୨୦୧୯ରେ ମଧ୍ୟ ନୟାଗଡ଼ ପ୍ରାର୍ଥୀଙ୍କ ଭୋଟ ବ୍ୟବଧାନର ପ୍ରାୟ ଅଢ଼େଇଗୁଣ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଦଶପଲ୍ଲାର ବିଜେଡି ପ୍ରାର୍ଥୀ। ସେହିପରି ୨୦୧୯ ନିର୍ବାଚନରେ ବିଜେଡିର ନୟାଗଡ଼ ପ୍ରାର୍ଥୀଙ୍କ ଠାରୁ ୫ ଗୁଣାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଖଣ୍ଡପଡ଼ା ପ୍ରାର୍ଥୀ। ନୟାଗଡ଼ରେ ବିଜେଡିର ଭୋଟ୍‌ ହାର ଦିନକୁ ଦିନ ହ୍ରାସ ହେବା, ନୟାଗଡ଼ ସହରାଞ୍ଚଳରେ ବିଜେଡି ପରାଜୟ ବରଣ କରିବା ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଆଉ ବିଜେପି ସମର୍ଥିତ ପ୍ରାର୍ଥୀ ଆଗରେ ରହିବା ବିଜୁ ଜନତା ଦଳ ଓ ଏହାର ସ୍ଥାନୀୟ ନେତୃତ୍ବ ପ୍ରତି ଅଶୁଭ ସଙ୍କେତ ଦେଉଛି।

Leave A Reply

Your email address will not be published.