Odisha Link
Bridging the Missing Links in Odisha

କବି ଜୟନ୍ତ ମହାପାତ୍ର ଅସୁସ୍ଥ, ଆଇସିୟୁରେ ଚିକିତ୍ସାଧୀନ

କଟକ: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଦ୍ବିଭାଷୀ କବି ଜୟନ୍ତ ମହାପାତ୍ର ଗୁରୁତର ଭାବେ ଅସୁସ୍ଥ ‌ହୋଇପଡ଼ିଛନ୍ତି। ସୋମାବାର ଦିନ ତାଙ୍କୁ କଟକ ବଡ଼ ଡାକ୍ତରଖାନା ମେଡିସିନ୍‌ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୯୪ ବର୍ଷ ବୟସ୍କ କବି ଜୟନ୍ତ ମହାପାତ୍ର ରବିବାର ଦିନ କଟକ ଠାରୁ ପ୍ରାୟ ୨୫୦ କିଲୋମିଟର ଯାତ୍ରା କରି ବାରିପଦାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ଦିନସାରା ରହିବା ସହ ଏକ ହୋଟେଲରେ ରାତ୍ରିଯାପନ କରିଥିଲେ। ରାତିରେ ହଠାତ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଝାଡାବାନ୍ତି ହୋଇଥିଲା। ଜୟନ୍ତଙ୍କୁ ନିମନ୍ତ୍ରଣ କରି ନେଇଥିବା ବ୍ୟକ୍ତି ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ତେବେ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ସୋମବାର ସଂଧ୍ୟାରେ ତାଙ୍କୁ କଟକ ବଡ଼ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଜୟନ୍ତ ମହାପାତ୍ର ୨୦୨୧ ମେ’ ମାସରେ କରୋନାରେ ସଂକ୍ରମିତ ‌ହୋଇଥିଲେ। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡାଙ୍କ ପରାମର୍ଶରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ କରୋନାରୁ ମୁକ୍ତ ହେବା ପରେ ସେ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ। ସେବେଠାରୁ ସେ କୌଣସି ସଭା-ସମିତି ବା କୌଣସି ଉତ୍ସବ ପାଇଁ ବାହାରକୁ ଯାଉ ନଥିଲେ।

ରବିବାର ସକାଳେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାରିପଦା ବାହାରି ଯାଇଥିଲେ ବୋଲି ତାଙ୍କ ଘରୋଇ ସେବିକା ସରୋଜିନୀ କହିଛନ୍ତି। ବାରିପଦାରେ ହୋଟେଲରେ ରହିବା ଓ ଖାଇବାରେ ସମସ୍ୟା ପାଇଁ ତାଙ୍କର ସ୍ବାସ୍ଥ୍ୟବସ୍ଥା ଏଭଳି ହୋଇଥିବା ଅନୁମାନ କରାଯାଉଛି। ଏବେ ବଡ଼ମେଡିକାଲରେ ଜୟନ୍ତଙ୍କ ଝିଆରୀ ଓ ସେବିକା ସରୋଜିନୀଙ୍କ ପୁଅ ତାଙ୍କର ଦେଖାଶୁଣା କରୁଛନ୍ତି।

Leave A Reply

Your email address will not be published.