Odisha Link
Bridging the Missing Links in Odisha

ମୃତ୍ୟୁର କୂଅ! ଚାଲିଗଲା ୧୩ ଜୀବନ

ଓଏଲ୍‌ ବ୍ୟୁରୋ: ଧୁମଧାମରେ ଚାଲିଥିଲା ବାହାଘର। ବିବାହ ଉତ୍ସବରେ ମସଗୁଲ ଥିଲେ ସମସ୍ତେ। ହେଲେ ହଠାତ୍‌ ସବୁ ପଡ଼ିଗଲା ଫିକା। ମଉଳିଗଲା ଖୁସି ଆଉ ଶୁଭିଲା କାନ୍ଦ ବୋବାଳିର ଚିତ୍କାାର। ଅସାବଧାନତା ଯୋଗୁଁ କୂଅରେ ଖସିପଡ଼ି ଚାଲିଗଲା ୧୩ ଜଣଙ୍କ ଜୀବନ।

ଉତ୍ତର ପ୍ରଦେଶର କୁଶିନଗରରେ ଘଟିଛି ବଡ଼ ଅଘଟଣ। କୂଅରେ ପଡିଗଲେ ୩୦ରୁ ଅଧିକ ମହିଳା ଓ ଯୁବତୀ। ସେମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା। ବିବାହ ପାଇଁ ଆୟୋଜନ ଚାଲିଥିବା ବେଳେ ଏପରି ଅଘଟଣ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବିକ, କୁଶିନଗରର ନେବୁଆ ନୋରାଙ୍ଗିଆ ସ୍କୁଲ ନିକଟରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଗାଁର ମହିଳା ଓ ଯୁବତୀମାନେ କନିଆଁ ଘର ପାଖରେ ଥିବା ଏକ କୂଅରେ ପାଖରେ ଠିଆ ହୋଇଥିଲେ। ହଳଦି ଉତ୍ସବ ଚାଲିଥିବାରୁ ସେମାନେ ଏକାଠି ହୋଇଥିଲେ। ତେବେ ମହିଳା ଓ ଯୁବତୀମାନେ କୂଅର ଉପରେ ଥିବା ଏକ ଲୁହା ଜାଲି ଉପରେ ଠିଆ ହୋଇଥିଲେ । ଜାଲିଟି ଭାର ସମ୍ଭାଳି ନପାରି ଭାଙ୍ଗି ଯାଇଥିଲା ଓ ୩୦ ରୁ ଅଧିକ ମହିଳା କୂଅ ଭିତରେ ଖସି ପଡିଥିଲେ ।

ଅଘଟଣ ଘଟିବାର ଅନେକ ସମୟ ଯାଏଁ ଆମ୍ବୁଲାନ୍ସ ପହଁଚି ନଥିଲା । କିନ୍ତୁ ଏହା ସତ୍ତ୍ୱେ ଗ୍ରାମବାସୀ ୧୫ ମହିଳାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥିଲେ । ରାତି ହୋଇଥିବାରୁ ଟର୍ଚ୍ଚ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଶେଷରେ ଘରୋଇ ଓ ପୁଲିସ ଗାଡି ସାହାଯ୍ୟରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା।

Leave A Reply

Your email address will not be published.