Odisha Link
Bridging the Missing Links in Odisha

ମହାବାହୁଙ୍କ ଆର୍ଶୀବାଦ ନେଲେ ମହାମହିମ

ରାଷ୍ଟ୍ରପତି ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ ସହ ମୁକ୍ତି ମଣ୍ଡପରେ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିଲେ।

ଓଏଲ୍‌ ବ୍ୟୁରୋ: ମହାବାହୁଙ୍କୁ ଦର୍ଶନ କଲେ ମହାମହିମ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଦାମୂର୍ତ୍ତୀଙ୍କ ଆଶୀର୍ବାଦ ନେଇଛନ୍ତି। ସପରିବାର ସହ ମହାବାହୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ମିଳିଥିବା ସୂଚନା ମୁତାବିକ, ରାଷ୍ଟ୍ରପତି ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ ସହ ମୁକ୍ତି ମଣ୍ଡପରେ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିଲେ। ପରେ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯାଇ ଆଶିଷ ଭିକ୍ଷା କରି କୀର୍ତ୍ତନ ଚକଡ଼ାରେ ଛିଡ଼ା ହୋଇ ନୀଳଚକ୍ରରେ ପତିତପାବନ ବାନା ବନ୍ଧାର ଦୃଶ୍ୟ ଦେଖି ତଲ୍ଲୀନ ହୋଇଥିଲେ।

କୌଳିକ ପଣ୍ଡା ଏକ ସ୍ୱତନ୍ତ୍ର ତାମ୍ର ଫଳକ ରାଷ୍ଟ୍ରପତିଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ରାଷ୍ଟ୍ରପତି ଶ୍ରୀମନ୍ଦିର ପରିସରରରୁ ବିଦାୟ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର ପଟ୍ଟଚିତ୍ର ଉପହାର ଦିଆଯାଇଥିଲା।ସୂଚନାଯୋଗ୍ୟ, ଆଜି ରାତ୍ରୀଯାପନ ପୁରୀ ରାଜଭବନରେ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେଥିପାଇଁ ପୁରୀ ସ୍ଥିତ ରାଜଭବନରେ ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ଅର୍ଥାତ୍‌ ସକାଳ ୧୦ଟା ୩୫ରେ ରାଷ୍ଟ୍ରପତି ଗୌଡ଼ୀୟ ମଠ ପରିଦର୍ଶନରେ ଯିବେ। ସେଠାରୁ ରାଷ୍ଟ୍ରପତି ସିଧା ଶରଧାବାଲି ସଭାସ୍ଥଳରେ ପହଞ୍ଚିବେ ଓ ଶ୍ରୀଲ ପ୍ରଭୁପାଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ମହାରାଜ (ଗୌଡ଼ୀୟ ମଠ ମିଶନର ପ୍ରତିଷ୍ଠାତା)ଙ୍କ ୧୫୦ତମ ଜୟନ୍ତୀ ଅବସରରେ ୩ ବର୍ଷ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମ ସାରି ସେ ଭୁବନେଶ୍ୱର ଫେରିଯିବେ ଓ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

Leave A Reply

Your email address will not be published.