Odisha Link
Bridging the Missing Links in Odisha

ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଆଗେଇ ଆସିଲେ ନବୀନ

ସମସ୍ତଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଭୁବନେଶ୍ବର: ଯୁଦ୍ଧାକ୍ରାନ୍ତ ୟୁକ୍ରେନ୍‌ରେ ଫସି ରହିଥିବା ଓଡ଼ିଆଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ସେଠାରୁ ସୁରକ୍ଷିତ ଭାବରେ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ୍‌ ନମ୍ବର ଜାରି କରିଛନ୍ତି। ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଆବଶ୍ୟକ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଦୁଇଦିନ ଧରି ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଛି ଏହାର ପଡ଼ୋଶୀ ରୁଷ୍। ଓଡ଼େଶା ସହରକୁ ରୁଷ୍‌ ନିଜ କବ୍‌ଜାକୁ ନେଇଥିବା ସୂଚନା ମିଳୁଥିବା ବେଳେ କିଭ୍‌ ଓ ଅନ୍ୟ ସହରଗୁଡ଼ିକ ଉପରେ ଆକାଶମାର୍ଗରୁ ବୋମାମାନ ହୋଇଛି। ଏଭଳି ପରିସ୍ଥିତିରେ ସେଠାରେ ରହୁଥିବା ବିଦେଶୀମାନେ ନିଜ ଜନ୍ମଭୂମିକୁ ଫେରିବା ପାଇଁ ବ୍ୟାକୁଳ ହୋଇ ପଡ଼ିଛନ୍ତି।

ୟୁକ୍ରେନ୍‌ରେ ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ସମେତ ଯେତେ ଓଡ଼ିଆ ସେଠାରେ ଅବସ୍ଥାପିତ ଅଛନ୍ତି ସମସ୍ତଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ଦୁଇଟି ସହାୟତା ଫୋନ୍‌ ନମ୍ବର ଜାରି କରାଯାଇଛି। ନମ୍ବରଗୁଡ଼ିକ ହେଲା ୮୫୨୭୫୮୦୨୪୫ / ୦୧୧-୨୩୦୧୨୭୫୧।

ଉନ୍ନୟନ ଆୟୁକ୍ତ ତଥା ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ ପ୍ରଦୀପ ଜେନା ଏହି ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଥିବା ଓଡ଼ିଶା ଆବାସିକ ଆୟୁକ୍ତ ସମନ୍ବୟ ରକ୍ଷାକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଫସି ରହିଥିବା ବ୍ୟକ୍ତିଙ୍କ ବାବଦରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ସମସ୍ତ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.