୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ପୌର ନିର୍ବାଚନ ତାତି। ରାଜ୍ୟର ୩ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟସୀମା ଆଉ ୨ଦିନ ମଧ୍ୟରେ ଶେଷ ହେବ। ଏହାପୂର୍ବରୁ ସବୁଥର ଭଳି ସମସ୍ତ ଆକଳନକୁ ଭୁଲ୍ ଦର୍ଶାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରହ୍ମପୁର, କଟକ ଓ ଭୁବନେଶ୍ବର ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।
ଆଜି ମୁଖୃମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମହାନଗର ନିଗମ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମନୋନୀତ କରିଥିବାବେଳେ ଭୁବନେଶ୍ୱର ପାଇଁ ଓଡ଼ିଶା ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଓ ବ୍ରହ୍ମପୁର ମହାନଗର ନିଗମ ନିମନ୍ତେ ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କୁ ବିଜେଡି ନିଜର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ବିଜେଡି କାହାକୁ କେଉଁଠି ମେୟର ପ୍ରାର୍ଥୀ କରିବ ତାହା ଚୂଡ଼ାନ୍ତ କରିପାରୁନଥିଲା।
ସୂଚନାଯୋଗ୍ୟ, ଭୁବନେଶ୍ୱର ମେୟର ପଦବୀ ନିମନ୍ତେ ଏକାଧିକ ମହିଳା ଦୌଡ଼ରେ ଥିଲେ। ହେଲେ ଅଧିକାଂଶ ନେତ୍ରୀଙ୍କର ବିଏମସି ଭୋଟର ଲିଷ୍ଟରେ ନାଁ ନ ଥିବାରୁ ସେମାନେ ବାଦ୍ ପଡ଼ିଥିବା ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ହେଛଉଛି।