Odisha Link
Bridging the Missing Links in Odisha

ତପସ୍ୟା ଫାଉଣ୍ଡେସନ୍‌ ସାହିତ୍ୟ ପୁରସ୍କାର ଘୋଷିତ

ଓଏଲ୍‌ ବ୍ୟୁରୋ: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୧ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବର୍ଷୀୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୧’, ଓଡ଼ିଶାର ନଦନଦୀ ସମ୍ପର୍କରେ ବିଶେଷ ଗବେଷଣା ଓ ପୁସ୍ତକ ରଚନା କରିଥିବା ଯୁବ ସାହିତ୍ୟିକ ତଥା ସାମ୍ବାଦିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’, ଏବଂ ତରୁଣ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୧’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଫାଉଣ୍ଡେସନର ଟ୍ରଷ୍ଟୀ ତପନ କୁମାର ପଣ୍ଡା।

ବର୍ଷୀୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ଡକ୍ଟର ପ୍ରଧାନଙ୍କୁ ତାଙ୍କ ପୁସ୍ତକ ‘ଗୋନାସିକା ନନ୍ଦିନୀ ବୈତରଣୀ’ ଓ ‘ବୁଢ଼ାବଳଙ୍ଗର ମାଝୀ’ ପୁସ୍ତକ ନିମନ୍ତେ ପୁରସ୍କୃତ କରାଯିବା ବେଳେ ପରମବୀର ଚକ୍ରଙ୍କୁ ୩୦ ବର୍ଷରୁ କମ୍‌ ବୟସ ବର୍ଗରେ ପୁରସ୍କୃତ କରାଯିବ। ଆସନ୍ତା ଏପ୍ରିଲ ମାସରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ତିନି ସାହିତ୍ୟିକଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଏବଂ ୨୦ ହଜାର ଟଙ୍କା, ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିଲା।

ସେହିଭଳି ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ଦିଆଯାଇଥିବା ବେଳେ ୨୦୨୦ ମସିହା ପାଇଁ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ସୁଶ୍ରୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.