Odisha Link
Bridging the Missing Links in Odisha

ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ହେବେ ଅରୁଣ ସାହୁ!

ନୟାଗଡ଼: ବର୍ତ୍ତମାନ ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କାଳେ ଆଗକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ହେବେ। ଏମିତି ଆଲୋଚନା ଏବେ ନୟାଗଡ଼ ରାଜନୈତିକ ଶିବିରରେ ମୁଖ୍ୟପ୍ରସଙ୍ଗ ପାଲଟିଛି। ମୁଖ୍ୟମନ୍ତ୍ରୀ ଖୁବ୍‌ ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ଼ଧରଣର ଅଦଳବଦଳ କରିବାକୁ ଯାଉଥିବା ବେଳେ ଅରୁଣ ପର୍ଯ୍ୟଟନ ଓ ସଂସ୍କୃତି ଭଳି ଦୁଇଟି ଦୁହାଁଳିଆ ବିଭାଗ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ଅରୁଣ କୃଷିମନ୍ତ୍ରୀ ଥାଇ ସୁଦ୍ଧା ଜିଲ୍ଲାରେ କୃଷକଙ୍କ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେଉଛି। ଦୀର୍ଘ ୯ ବର୍ଷ ଧରି ଜିଲ୍ଲାର ଏକମାତ୍ର ଶିଳ୍ପ ଚିନିକଳ ବନ୍ଦ ଥିବାବେଳେ ଆଖୁଚାଷୀଙ୍କ ପାଇଁ ଏହା ଅଭିଶାପ ପାଲଟିଛି। ଜିଲ୍ଲାରେ ବୃହତ୍ତ ଜଳଚେସନ ପ୍ରକଳ୍ପ “ବୃତ୍ତଙ୍ଗ”ର ସ୍ବପ୍ନ ଫାଇଲ୍‌ ଭିତରେ ଚାପିହୋଇ ରହିଛି। ମୁଗ ଅମଳରେ ଦେଶରେ ଏକନମ୍ବର ଜିଲ୍ଲା ଭାବେ ପରିଚିତ ନୟାଗଡ଼ରେ ଏକ ବୃହତ୍ତ ମୁଗ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନର ପ୍ରତିଶ୍ରୁତି କେବଳ ନିରୋଳା ପ୍ରତିଶ୍ରୁତିଟିଏ ହୋଇ ରହିଛି। ଅନୁରୂପ ଭାବେ ଅରୁଣ ଉଚ୍ଚଶିକ୍ଷା ମନ୍ତ୍ରୀ ଥାଇ ମଧ୍ୟ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। ତାଙ୍କ ମନ୍ତ୍ରିତ୍ବ ଅମଳରେ ଗୋଟିଏ ବି ନୂଆ ଶିକ୍ଷାନୁଷ୍ଠାନ ଖୋଲିନାହିଁ। ଏଭଳି ସ୍ଥଳେ ଜିଲ୍ଲାରେ ମନ୍ତ୍ରୀଙ୍କ ପ୍ରତି ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଅରୁଣ ବିଭାଗ ବଦଳ ପାଇଁ ଆଗ୍ରହୀ ଥିବା ତାଙ୍କ ନିକଟ ମହଲରେ ଆଲୋଚନା ହେଉଛି।

ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଚିତ୍ରକବିତା

ନିଜକୁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପାଇଁ ଯୋଗ୍ୟ ପ୍ରମାଣିତ କରିବାକୁ ସେ ବେଶ୍‌ କିଛିମାସ ଧରି ଉଦ୍ୟମ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି। ବାଟରେ ଗଲାବେଳେ ବିଭିନ୍ନ ପ୍ରାକୃତିକ ପରିବେଶର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡ଼ିବା, ଛୋଟ ପର୍ଯ୍ୟଟନ ସ୍ଥଳ ଦେଖି ଅଟକିବା ଆଦି ମାଧ୍ୟମରେ ସେ ପର୍ଯ୍ୟଟନ ପ୍ରତି ନିଜର ଦୁର୍ବଳତା ଜାହିର କରୁଛନ୍ତି। ଅନୁରୂପ ଭାବେ ଜିଲ୍ଲା ସାରା ବିଭିନ୍ନ ଉନ୍ନୟନମୂଳ ଯୋଜନା ପାଖରେ ନିଜର କବିତା ଲେଖି, ସାଂସ୍କୃତି ଉତ୍ସବରେ ଯୋଗଦେବାର ଅଧିକ ଆଗ୍ରହ ଦେଖାଇ ଓ ଓଡ଼ିଆ ଗାଳ୍ପିକମାନଙ୍କ ଗଳ୍ପକୁ ଏକାଠି କରି ବହିଟିଏ ଛାପି ସେ ସାହିତ୍ୟ ସଂସ୍କୃତି ପ୍ରତି ନିଜର ଦରଦ ଦେଖାଇଛନ୍ତି।

ପୂର୍ବରୁ ଅରୁଣ ଶକ୍ତି, ଆଇନ, ପଞ୍ଚାୟତିରାଜ, ଶିକ୍ଷା ଓ କୃଷି ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳି ସାରିଛନ୍ତି। ଏଣୁ ବର୍ତ୍ତମାନ ସମୟରେ ଯଦି ବିଭାଗ ବଦଳ ହୁଏ ତେବେ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ଅରୁଣ ହିଁ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସମ୍ଭାଳିବା ଲାଗି ସର୍ବୋତ୍ତମ ବ୍ୟକ୍ତି ବୋଲି ତାଙ୍କ ନିକଟତମ ମହଲରେ ଚର୍ଚ୍ଚା ହେଉଛି।

ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଚିତ୍ରକବିତା
Leave A Reply

Your email address will not be published.