Odisha Link
Bridging the Missing Links in Odisha

ରୂପରେଖ ବଦଳାଉଛି ‘ଅସାନି’

ଓଏଲ୍‌ ବ୍ୟୁରୋ: ବାତ୍ୟା ‘ଅସାନି’କୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌। ସମୟ ଗଡ଼ିବା ସହ ବାତ୍ୟାର ରୂପରେଖ ବଦଳିବାରେ ଲାଗିଛି। ଏହାରିମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ଦେଇଛନ୍ତି ବଡ଼ ପ୍ରତିକ୍ରିୟା।

ଶ୍ରୀ ଜେନା କହିଛନ୍ତି, ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି କାକିନଡା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି’। ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟର ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି।

ପାଣିପାଗ ବିଭାଗର ଆକଳନ ଠାରୁ ଏବେ ବାତ୍ୟାର ସ୍ଥିତି ଓ ଗତିପଥରେ ପରିବର୍ତ୍ତନ ଆସିଛି  ଏବେ ମିଳିଥିବା ତଥ୍ୟ ଅନୁସାରେ, ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବୋଲି କହିଛନ୍ତି ଶ୍ରୀ ଜେନା।

ସେ ଆହୁରି କହିଛନ୍ତି, ସ୍ଥଳଭାଗ ଛୁଇଁବା ପୂର୍ବରୁ ବାତ୍ୟା ରିକର୍ଭ କରିପାରେ। ‘ଅସାନି’ ଉତ୍ତର-ଉତ୍ତର ପୂର୍ବ ଦିଗକୁ ରିକର୍ଭ କରି ବିଶାଖାପାଟ୍ଟଣମ୍ ଦେଇ ଯିବ। ବିଶାଖାପାଟ୍ଟଣମ ଅତିକ୍ରମ ପରେ ବାତ୍ୟା ପୁଣି ରିକର୍ଭ କରି ସମୁଦ୍ର ଭିତରକୁ ପଳାଇବ ବୋଲି ଆଇଏମଡି ଆକଳନ କରିଛି । ବାତ୍ୟା ୧୩ ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ପହଞ୍ଚିବ ନାହିଁ ।

ତେବେ ବାତ୍ୟା ସମୁଦ୍ର ଭିତରକୁ ଯିବା ପରେ ଗତିପଥ କଣ ରହିବ ଆକଳନ ହୋଇନାହିଁ । ପ୍ରଭାବରେ ଓଡ଼ିଶାରେ ଅଧିକ ପ୍ରବଳ ବର୍ଷା ହେବ। କିନ୍ତୁ ବେଶି ପବନ ହେବ ନାହିଁ ବୋଲି କହିଛନ୍ତି ଏସଆରସି।

ଯଦି ଆନ୍ଧ୍ରର କାକିନାଡ଼ା ପାଖାପଖି ବାତ୍ୟା ସ୍ଥଳଭାଗ ଛୁଏେ ତେବେ ଓଡ଼ିଶା ଉପରେ ପବନର ପ୍ରଭାବ ବିଶେଷ ପଡ଼ିବ ନାହିଁ। ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, କଟକ, ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲାରେ ବର୍ଷା ହେବ। ଆସନ୍ତାକାଲି ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ଅଧିକ ବର୍ଷା ହେବ। ମଧ୍ୟମରୁ ପ୍ରବଳ ବର୍ଷା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା।

Leave A Reply

Your email address will not be published.