Odisha Link
Bridging the Missing Links in Odisha

ଜାତୀୟ ପ୍ରତୀକକୁ ନେଇ ବିବାଦ କାହିଁକି ?

ଓଏଲ୍‌ ବ୍ୟୁରୋ: ଜାତୀୟ ପ୍ରତୀକକୁ ନେଇ ଜୋରଦାର ଚର୍ଚ୍ଚା। ଏପରିକି ଜାତୀୟ ପ୍ରତୀକକୁ ନେଇ ବିବାଦ ଆରମ୍ଭ ହୋଇସାରିଲାଣି। ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀରେ ନିର୍ମିତ ହେଉଥିବା ନୂଆ ସଂସଦ ଭବନର ଛାତ ଉପରେ ଜାତୀୟ ପ୍ରତୀକକୁ ଅନାବରଣ କରିଥିଲେ। ଯାହାପରଠୁ ବିବାଦ ସୃଷ୍ଟି ହୋଇଛି। ଏପରିକି ସୋସିଆଲ ମିଡିଆରେ ମଧ୍ୟ ଜାତୀୟ ପ୍ରତୀକର ନୂଆ ରୂପ ଓ ପୁରୁଣା ରୂପକୁ ନେଇ ଚର୍ଚ୍ଚା ଲାଗି ରହିଛି।

କିଛି ଆଲୋଚକଙ୍କ କହିବା ମୁତାବିକ, ନୂଆ ସଂସଦ ଭବନର ଛାତ ଉପରେେ ନିର୍ମିତ ହୋଇଥିବା ରାଷ୍ଟ୍ରୀୟ ପ୍ରତୀକରେ ଥିବା ସିଂହର ରୂପ ବାସ୍ତବିକ ଐତିହାସିକ ରୂପଠାରୁ ଭିନ୍ନ ଓ ‘କ୍ରୁର’ ରୂପ ଦେଖାଯାଉଛି। ପୂର୍ବରୁ ସମ୍ରାଟ ଅଶୋକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକର ୪ ସିଂହ ଓ ବର୍ତ୍ତମାନ ମୋଦିଙ୍କ ହାତରେ ଉଦଘାଟିତ ହୋଇଥିବା ୪ ସିଂହ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି।

ବିରୋଧୀମାନେ କହିଛନ୍ତି , ପୂର୍ବରୁ ଥିବା ଜାତୀୟ ପ୍ରତୀକରେ ଥିବା ସିଂହଗୁଡ଼ିକ ବେଶ ଶାନ୍ତ ଓ ସୁନ୍ଦର ଭାବେ ରହିଥିଲେ। ସେମାନେ କେବଳ ଜିଭ କାଢ଼ିଥିଲେ। ହେଲେ ଏବେ ଉଦଘାଟିତ ହୋଇଥିବା ସିଂହଗୁଡ଼ିକ ବେଶ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ଯାହା ଭାରତର ନୀତି ଓ ସଂସ୍କୃତିର ବିରୋଧ। ଏଭଳି କିଛି ଅଭିଯୋଗ ଆଣିଛନ୍ତି ବିରୋଧୀ।

ଅପରପକ୍ଷେ ମୋଦି ସରକାର ଜାତୀୟ ପ୍ରତୀକର ପରିବର୍ତ୍ତନକୁ ଯର୍ଥାର୍ଥ କହିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ଜାତୀୟ ପ୍ରତୀକକୁ ସାରନାଥ ‘ଲାୟନ୍’ କ୍ୟାପିଟାଲ ଅଫ ଅଶୋକରୁ ଗ୍ରହଣ କରାଯାଇଛି। ଅଶୋକଙ୍କ ସିଂହ ସାରନାଥ ସଂଗ୍ରହାଳୟରେ ରହିଛି। ଏହି ଆଧାରରେ ନୂଆ ଜାତୀୟ ପ୍ରତୀକ ତିଆରି ହୋଇଛି। ଦେଶର ଗର୍ବକୁ ସଂସଦର ବିଲଡିଂ ଉପରେ ରଖାଯାଇଛି।

ଜାତୀୟ ପ୍ରତୀକକୁ ନେଇ ପ୍ରଶ୍ନ ଉଠାଉଥିବା ବ୍ୟକ୍ତି ବିଶେଷଙ୍କୁ ଟ୍ବିଟ୍‌ ଜରିଆରେ ‘ଅଜ୍ଞାନୀ’ କହିଛନ୍ତି ବରିଷ୍ଠ ସାମ୍ବାଦିକ କଞ୍ଚନ ଗୁପ୍ତା। ସେ କହିଛନ୍ତି, ଯେଉଁମାନେ ନୂଆ ସଂସଦ ଭବନର ଛାତ ଉପରେ ସ୍ଥାପିତ କରାଯାଇଥିବା ଜାତୀୟ ପ୍ରତୀକକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଆଲୋଚନା କରୁଛନ୍ତି ସେମାନେ ସବୁ ଅଜ୍ଞାନୀୀ। ଯିଏ ଜାତୀୟ ପ୍ରତୀକକୁ ନେଇ ରିପୋର୍ଟ ଲେଖୁଛନ୍ତି ଆଉ ମିଛ କଥା ପ୍ରଚାର ପ୍ରସାର କରୁଛନ୍ତି ସେମାନେ ସବୁ ଅବୁଝା।

ସୂଚନାଯୋଗ୍ୟ, ନୂଆ ଜାତୀୟ ପ୍ରତୀକର ଉଚ୍ଚତା ୬.୫ ମିଟର ହୋଇଥିବା ବେଳେ ଓଜନ ୧୬ ହଜାର କେଜି। ଭାରତୀୟ କାରିଗରମାନେ ନିଜ ହାତରେ ଏହାକୁ ତିଆରି କରିଛନ୍ତି। ଜାତୀୟ ପ୍ରତୀକଟି ସଂପୂର୍ଣ୍ଣ ବ୍ରୋଞ୍ଜରେ ତିଆରି ହୋଇଛି। ଅନ୍ୟ କୌଣସି ଜିନିଷ ଜାତୀୟ ପ୍ରତୀକରେ ବ୍ୟବହାର ହୋଇନାହିଁ।

Leave A Reply

Your email address will not be published.