Odisha Link
Bridging the Missing Links in Odisha

ଭାଷାକୁ ଦଳୀୟ ଦୁଷ୍କର୍ମ! 

ବିଜେପି ଅନେକ ସମୟରେ ଅପର ଦଳର ମୁଖ୍ୟ ଠିକ ଭାବେ ଓଡ଼ିଆ କହିପାରନ୍ତିନାହିଁ ବୋଲି ସମାଲୋଚନା କରିଥାଏ। ବିଜେଡି ତାଙ୍କ ସରକାର ଓଡ଼ିଆ ଭାଷା ସାହିତ୍ୟ ପାଇଁ କେତେ କ'ଣ କରିପକାଇଛି ବୋଲି ଡିଣ୍ଡିମ ପିଟୁଥାଏ। ଅଥଚ ଦୁଇ ଦଳର ଦଳଦଳ ନେତା ଦିନଦିନ ଧରି ଭାଷାକୁ ଦୟନୀୟ ଭାବରେ ଦୁଷ୍କର୍ମ କରିଚାଲିଛନ୍ତି, ତାହା ଆମେ ସହିବା କିପରି? 

୨୦୧୫ ମସିହାରେ ଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ଜାତୀୟ ଯୁବ ଲେଖକ ସମ୍ମିଳନୀରେ ଏ ଲେଖକ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲା। ଉଭୟ ଇଂରାଜୀ ଓ ହିନ୍ଦୀ ଲିପିରେ ଲିଖିତ ନିମନ୍ତ୍ରଣ ପତ୍ରଟି ପୂର୍ବରୁ ହସ୍ତଗତ ହୋଇଥିଲା ଏବଂ ସେଥିରେ ହିନ୍ଦୀରେ ଏ ଲେଖକର ନାମ ଶୁଭ୍ରାଂଶୁ ‘ପଣ୍ଡା’ ବଦଳରେ ‘ପାଣ୍ଡା’ ବୋଲି ଉଲ୍ଲେଖ ଥିଲା। ବିଭିନ୍ନ ଭାଷାରୁ ଅଧିକାଂଶ କବି ପ୍ରତିନିଧିତ୍ବ କରୁଥିବାବେଳେ ଓଡ଼ିଆ ସମେତ ମୋଟ ୩ଟି ଭାଷାରୁ ଆମେ ମାତ୍ର ତିନିଜଣ କଥାକାର ଥିଲୁ। କାହାଣୀ ପଠନ ଅଧିବେଶନ ଆରମ୍ଭରେ ମୋ ନାମ ଦୁଇତିନିଜଣ ‘ପାଣ୍ଡା’ ବୋଲି ଉଚ୍ଚାରଣ କରିବା ଉତ୍ତାରୁ ମୁଁ ଠିଆ ହୋଇ ଅତ୍ୟନ୍ତ ବିନୟ ଭାବରେ ସମସ୍ତଙ୍କୁ ଜଣାଇଦେଲି ଯେ ମୋର ନାମ ‘ପାଣ୍ଡା’ ନୁହେଁ ବରଂ ‘ପଣ୍ଡା’। ତେଣିକି ଉତ୍ସବ ଶେଷଯାଏଁ ମୋ ନାମ ଉଚ୍ଚାରଣରେ ଆଉ କେହି ତ୍ରୁଟି କରିଲେନାହିଁ।

ଜଣେ ଅନ୍ୟଭାଷୀ ବ୍ୟକ୍ତି ଆମ ଭାଷାର ଶବ୍ଦକୁ ଭୁଲ ଉଚ୍ଚାରଣ କଲେ ବା ଭୁଲ ଲେଖିଲେ ଯେତିକି ବାଧେନାହିଁ, ନିଜକୁ ଗର୍ବିତ ଓଡ଼ିଆ ବୋଲି ପରିଚୟ ଦେଉଥିବା ଅନେକେ ନିଜ ଭାଷାକୁ କଦର୍ଥ କରି କହିବା ଓ ଲେଖିବା ଅତ୍ୟନ୍ତ ପରିତାପର ବିଷୟ। ଏ ଭଳି ଦୁଃଖଦ ବ୍ୟତିକ୍ରମ ରାଜନୀତିରେ ଅଧିକ। ପଣ୍ଡାକୁ ପାଣ୍ଡା, ପାତ୍ରକୁ ପାତ୍ରା, ମିଶ୍ରକୁ ମିଶ୍ରା, ଶୁକ୍ଲକୁ ଶୁକ୍ଲା, ବଳକୁ ବଲ୍, ପାଳକୁ ପାଲ୍‌, ଆଚାର୍ଯ୍ୟକୁ ଆଚାର୍ୟା ଆଉ ରାୟକୁ ରୟ୍‌ ଭାବେ ଶୁଣିବାକୁ ଓ କେତେକ କ୍ଷେତ୍ରରେ କହିବାକୁ ଆମ ରାଜନେତାମାନେ ସତେ ଯେମିତି ଏକ ସମ୍ମାନଜନକ ଉପାଧି ଭଳି ଆଦରି ନେଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର ଅତ୍ୟନ୍ତ ଆଗ୍ରହର ସହ ବିନା ପ୍ରତିବାଦରେ ବାହାରେ (ଓଡ଼ିଶା ଭିତରେ ବି) ‘ପାତ୍ରା’ ଭାବେ ପରିଚିତ ହେବାକୁ ଗୌରବ ମଣୁଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଲିଖିତ ଓଡ଼ିଆ ମଧ୍ୟ ଅନେକ ସମୟରେ ହାସ୍ୟାସ୍ପଦ ଭାବେ ତ୍ରୁଟିପୂର୍ଣ। କେବଳ ସେ ନୁହନ୍ତି, ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଲେଖିବାବେଳେ ନିୟମିତ ଭାବେ ତ୍ରୁଟି କରିଥାଆନ୍ତି।

ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗଣମାଧ୍ୟମକୁ ଯେଉଁ ସମ୍ବାଦ ଓ ବାର୍ତା ପ୍ରେରଣ କରାଯାଇଥାଏ (ମୁଁ ସେଥିରୁ ପୁଞ୍ଜାଏ ଲେଖେଁ ଦୈନିକ ପାଏ) ସେଥିରେ ଭାଷା ଶୁଦ୍ଧ ଦୂରେ ଥାଉ, ଅନେକ ସମୟରେ କର୍ତା ଆଉ କ୍ରିୟା କିଏ ଜାଣିବା କାଠିକର ହୋଇପଡ଼େ।

ଯେଉଁ ଘଟଣା ଦୁଇଟି ବ୍ୟଥିତ ଓ ଆନ୍ଦୋଳିତ କଲା ବୋଲି ଏତେ କଥାର ଅବତାରଣା କଲି, ସେ ପ୍ରସଙ୍ଗକୁ ଆସିବା।

ଦୁଇଦିନ ତଳେ ଓଡ଼ିଶାର ଦୁଇ ପ୍ରମୁଖ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ବିଜେପି ଓ ବିଜେଡି ଏକ ସମୟରେ ଭୁବନେଶ୍ବରର ଦୁଇଟି ଭିନ୍ନ ସ୍ଥାନରେ ଭିନ୍ନ ସଭା ଆୟୋଜନ କରିଥିଲେ। ଉଭୟ ଦଳର ସାହିତ୍ୟିକ ଓ ସାଂସ୍କୃତିକ ଶାଖା ରହିଛି। ଉଭୟ ଦଳରେ ଅନେକ ଭାଷା-ସାହିତ୍ୟ ଜ୍ଞାନୀ ବି ଅଛନ୍ତି। ଉଭୟ ଦଳର କିଛି ନିର୍ବାଚିତ ପ୍ରତିନିଧି ବି ନିଜକୁ ବଡ଼ ସାହିତ୍ୟିକ ବୋଲାଇବାର ସ୍ପର୍ଧା ରଖନ୍ତ। ଅଥଚ ଓଡ଼ିଆରେ ଧାଡ଼ିଟିଏ ଲେଖିବାବେଳେ ସେମାନେ କିଭଳି ଗୁରୁଚଣ୍ଡାଳ ଭୁଲ କରନ୍ତି ତାହାର ଗୋଟିଏ ଗୋଟିଏ ମାତ୍ର ଉଦାହରଣ ଦେବି।

ବିଜେଡି ବ୍ୟାନରରେ ‘ସାମୂହିକ’ ବଦଳରେ ‘ସାମୁହିକ’

ବିଜୁ ଜନତା ଦଳ ପକ୍ଷରୁ ଉପରୋକ୍ତ ସଭାରେ ଏଥରର ପ୍ରମୁଖ ବାକ୍ୟ ଥିଲା “ବିଜୁ ଜନତା ଦଳ – ଏକ ସାମୂହିକ ଆନ୍ଦୋଳନ”। ଏ ବାକ୍ୟଟି ଲେଖାହୋଇଥିବା ପୋଷ୍ଟର ଓ ବ୍ୟାନର୍‌ ହଜାର ହଜାର ସଂଖ୍ୟାରେ ଭୁବନେଶ୍ବର ସହର ସାରା ଓ ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ବି ଲାଗିଛି। କିନ୍ତୁ ଏହି ଗୋଟିଏ ବାକ୍ୟ ସଜାଡ଼ିବା ପାଇଁ ମଧ୍ୟ ଏ ଦଳ ସମୟ କିମ୍ବା ବ୍ୟକ୍ତିଟିଏ ପାଇଲାନାହିଁ। ‘ସାମୂହିକ’ ବଦଳରେ ସର୍ବତ୍ର ‘ସାମୁହିକ” ବୋଲି ଉଲ୍ଲେଖ ରହିଛି। ଦୀର୍ଘ ଊ ବଦଳରେ ହ୍ରସ ଉ ହୋଇଛି। ଦଳୀୟ ପୋଷ୍ଟରକୁ ଅନୁକରଣ କରି ଦଳର ହଜାରହଜାର କର୍ମୀ ଓ ନେତା ସାମାଜିକ ଗଣମାଧ୍ୟମରେ ବି ସମାନ ତ୍ରୁଟିକୁ ଦୋହରାଇଛନ୍ତି।

ଭାରତୀୟ ଜନତା ପାର୍ଟି ଭାଷା ବିକୃତ କରିବାରେ ଆଉ ପାଦେ ଆଗେଇ ଯାଇଛି; ଓଡ଼ିଆ ଠିକ ଲେଖିଥିବାବେଳେ ହିନ୍ଦୀରେ ଗୁରୁଚଣ୍ଡାଳ ଭୁଲ କରିବସିଛି। ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଗତକାଲି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ଏକ ସଭାରେ ହିନ୍ଦୀ ଲିପିରେ ‘ଓଡ଼ିଶା’ ବଦଳରେ ‘ଉଡ଼ୀଶା’ ବୋଲି ଉଲ୍ଲେଖ ହୋଇଛି। ଆମ ରାଜ୍ୟ ନାମର ଏଭଳି ବିକୃତ ବନାନକୁ ସେଠି ଉପସ୍ଥିତ ବାକି ସବୁ ଓଡ଼ିଆ ନେତାଏ ନିରବରେ ସହିଗଲେ କିପରି?

ବିଜେପି ସଭାରେ ‘ଓଡ଼ିଶା’ ବଦଳରେ ‘ଉଡ଼ୀଶା’

ଏ ଦୁଇଟି ତ୍ରୁଟି ଭାତ ହାଣ୍ଡିରୁ ଦୁଇଟି ମାତ୍ର ଭାତ। ନିତିଦିନ ଦଳ ଓ ଦଳୀୟ ନେତାଙ୍କ ପକ୍ଷରୁ ସାମାଜିକ ଗଣମାଧ୍ୟମରେ, ପୋଷ୍ଟରରେ, ବ୍ୟାନରରେ, ଚିଠିରେ, ଭାଷଣରେ ଏମିତି ଶତାଧିକ ଭାଷା ତ୍ରୁଟି ପରିଲକ୍ଷିତ ହେଉଛି।

ଏଭଳି ତ୍ରୁଟି ଧରିବାଟାକୁ ଅନେକେ ଜୀରାରୁ ଶିରା କାଢ଼ିବା ସମ ମନେକରନ୍ତି। କିନ୍ତୁ ଇଂରାଜୀ ଆମ ମାତୃଭାଷା ହୋଇନଥିଲେ ମଧ୍ୟ ସେଥିରେ ସାମାନ୍ୟ ଭୁଲଟିଏ କରିପକାଇଲେ ଲଜ୍ଜିତ ବୋଧ କରୁଥିବା ବ୍ୟକ୍ତିବିଶେଷ ନିଜ ମାତୃଭାଷା ତଥା ଅଢ଼େଇ ହଜାର ବର୍ଷରୁ ଅଧିକ ପୁରୁଣା ଶାସ୍ତ୍ରୀୟ ଭାଷା ଓଡ଼ିଆରେ ତ୍ରୁଟିକୁ ଏତେ ସହଜ ଭାବରେ ଗ୍ରହଣ କରିନିଅନ୍ତି କାହିଁକି?

ସେଇ ବିଜେପି ଅନେକ ସମୟରେ ଅପର ଦଳର ମୁଖ୍ୟ ଠିକ ଭାବେ ଓଡ଼ିଆ କହିପାରନ୍ତିନାହିଁ ବୋଲି ସମାଲୋଚନା କରିଥାଏ। ସେଇ ବିଜେଡି ତାଙ୍କ ସରକାର ଓଡ଼ିଆ ଭାଷା ସାହିତ୍ୟ ପାଇଁ କେତେ କ’ଣ କରିପକାଇଛି ବୋଲି ଡିଣ୍ଡିମ ପିଟୁଥାଏ। ଅଥଚ ଦୁଇ ଦଳର ଦଳଦଳ ନେତା ଦିନଦିନ ଧରି ଭାଷାକୁ ଦୟନୀୟ ଭାବରେ ଦୁଷ୍କର୍ମ କରିଚାଲିଛନ୍ତି, ତାହା ଆମେ ସହିବା କିପରି?

ସଭିଏଁ ସବୁ କ୍ଷେତ୍ରରେ ପାରଙ୍ଗମ ନୁହନ୍ତି; ହେବା ମଧ୍ୟ ସମ୍ବବ ନୁହେଁ। ତେବେ ସର୍ବସାଧାରଣଙ୍କ ନିମନ୍ତେ ଓଡ଼ିଆ ଲେଖିବା ବେଳେ ନିଜର ଫମ୍ପା ସ୍ବାଭିମାନରୁ ହୁଗୁଳି ଆସି ଜଣେ ଭାଷାଜ୍ଞାନୀଙ୍କ ଦ୍ବାରା ପରଖିନେଲେ ମହାମାନ୍ୟ ଦଳ ବା ପାରଙ୍ଗମ ନେତାଙ୍କର ଆଦୌ ସମ୍ମାନ ହାନି ହେବନାହିଁ, ବରଂ ସେମାନେ ନିଜର ଶୁଦ୍ଧ ଓଡ଼ିଆ ଲାଗି ପ୍ରଶଂସିତ ହେବେ ନିଶ୍ଚୟ। ନେତାମାନେ ଏତିକି ବୁଝିଗଲେ ଏ ଲେଖକର ଶ୍ରମ ସାର୍ଥକ ହେବ।

Leave A Reply

Your email address will not be published.