Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ଆଜି ବାଂଲାଦେଶ-ଟିମ୍‌ ଇଣ୍ଡିଆ ମୁହାଁମୁହିଁ

ଓଏଲ୍‌ ବ୍ୟୁରୋ: ୨୦୨୨ ଫଟାଫଟ୍‌ କ୍ରିକେଟ ମହାକୁମ୍ଭର ୩୫ ତମ ମ୍ୟାଚ୍‌ ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ। ବିଶ୍ବକପ୍‌ ସେମିଫାଇନାଲ ସ୍ଥାନ ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ। ଏହି ହାଇଭୋଲଟେଜ ମ୍ୟାଚ ଜିତି ଭାରତ ନିଜ ସେମିଫାଇନାଲ ଆଶାକୁ ଆହୁରି ମଜବୁତ କରିବ। ସେପଟେ ବାଲାଂଦେଶ ମଧ୍ୟ ସେମିଫାଇନାଲ ରେସରେ ରହିବାକୁ ଭରପୁର ପ୍ରୟାସ କରିବ। ସବୁଠୁ ବଡ଼କଥା ହେଲା ଟି-୨୦ ଫର୍ମାଟରେ ବାଂଲାଦେଶ ଭାରତୀୟ ଦଳକୁ ନାକେଦମ କରିଛି। ଯାହାଫଳରେ ଆଜି ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ।

ସୁପର-୧୨ରେ ଟିମ୍‌ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିଲା‌ ‌ବେଳେ ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ହାରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନ ଖସିଯାଇଛି। ଅନ୍ୟପକ୍ଷରେ ବାଂଲାଦେଶ ଦୁଇଟି ମ୍ୟାଚ୍‌ ନେଦରଲାଣ୍ଡ୍ସ ଓ ଜିମ୍ବାୱେ ବିପକ୍ଷରେ ଜିତିଥିଲା ‌ବେଳେ ଦକ୍ଷିଣ ଆଫ୍ରିକାଠୁ ହାରିଯାଇଥିଲା। ଫଳରେ ଭାରତ ସହ ସମାନ ୪ ପଏଣ୍ଟ୍‌ ଥିଲେ ମଧ୍ୟ ରନ୍‌ ରେଟ୍‌ରେ ପଛରେ ରହି ଟେବୁଲର ତୃତୀୟ ସ୍ଥାନରେ ରହିଛି। ଆସନ୍ତାକାଲିର ମ୍ୟାଚ୍‌ ଯେଉଁ ଦଳ ଜିତିବ ୬ ପଏଣ୍ଟ୍‌ ସହ ସେମିଫାଇନାଲ୍‌ ଖେଳିବା ଅଶା ଉଜ୍ଜୀବିତ ରଖିବ। ନଚେତ ‌ନିଜର ଶେଷ ମ୍ୟାଚ୍‌ ବିଜୟ ସହ ‌ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

ପାକିସ୍ତାନ ଓ ଜିମ୍ବାୱେକୁ ହରାଇ ଦମ୍‌ଦାର ଭାବେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଥିବା ଭାରତ ତାର ପୂର୍ବ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠୁ ପରାଜୟ ବରଣ କରିଥିଲା। ଅନ୍ୟପଟେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ବଡ଼ ମ୍ୟାଚ୍‌ରେ ରାହୁଲଙ୍କ ବିଫଳତା ଟିମ୍‌ଇଣ୍ଡିଆକୁ ଚିନ୍ତାରେ ପକାଇଛି। ତଥାପି ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ତାଙ୍କ ସପକ୍ଷରେ ରହିଛନ୍ତି। ପିଠି ଯନ୍ତ୍ରଣା ଯୋଗୁଁ ଦୀନେଶ କାର୍ତ୍ତିକ ନଖେଳିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ଋଷଭ ପନ୍ତ ଚୂଡ଼ାନ୍ତ ଏକାଦଶକୁ ଫେରିପାରନ୍ତି। ଅନ୍ୟପକ୍ଷରେ ବାଂଲାଦେଶ ବୋଲିଂ ଆକ୍ରମଣ ସେତେଟା ଭଲ ନାହିଁ।

ଅପରପକ୍ଷେ ବାଂଲାଦେଶ ଦଳରେ ମଧ୍ୟ ଦମଦାର ଖେଳାଳି ଅଛନ୍ତି। ମୁସ୍ତାଫିଜୁର ରହମାନ, ତସ୍କିନ ଅହମଦ, ମେହିଦି ହାସନ ମିରାଜ, ଅଧିନାୟକ ସାକିବ ଅଲ୍‌ ହାସନ ଓ ହାସନ ମହମୁଦଙ୍କ ଭଳି ଭଲ ଖେଳାଳି ବାଂଲା ଟିମ୍‌ରେ ଅଛନ୍ତି। ସୂଚନାଯୋଗ୍ୟ, ଆଜି ସଂଧ୍ୟାରେ ଆଡିଲେଡରେ ବର୍ଷା ସମ୍ଭାବନା ରହିଛି। ୨୦୧୬ରେ ଆଡିଲେଡ୍‌ରେ ଭାରତ ଗୋଟିଏ ‌ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିଥିଲା।

ସମ୍ଭାବ୍ୟ ଭାରତୀୟ ଦଳ : କେଏଲ୍‌ ରାହୁଲ, ‌ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଦୀପକ ହୁଡ଼ା, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ/ଋଷଭ ପନ୍ତ, ଆର୍‌ ଅଶ୍ବିନ/ଅକ୍ଷର ପଟେଲ, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ

ସମ୍ଭାବ୍ୟ ବାଂଲାଦେଶ ଦଳ: ସୌମ୍ୟ ସରକାର, ନାଜମୁଲ ହୁସେନ ସାଣ୍ଟୋ, ଲିଟନ ଦାସ, ସକିବ ଅଲ୍‌ ହାସନ (ଅଧିନାୟକ), ଅଫିଫ ହୁସେନ, ନୁରୁଲ ହାସନ, ମୋସାଦେକ ହୁସେନ, ୟାସିର ଅଲ୍ଲୀ, ତସ୍କିନ ଅହମଦ, ମୁସ୍ତାଫିଜୁର ରହମାନ, ହାସନ ମେହମୁଦ।

Leave A Reply

Your email address will not be published.