Odisha Link
Bridging the Missing Links in Odisha

୨୫ ବର୍ଷର ରାଜନୀତି: ନବୀନ ହାରିଛନ୍ତି ୩ ଉପନିର୍ବାଚନ

ସବୁଠୁ ବଡ଼କଥା ହେଲା ନବୀନଙ୍କ ନେତୃତ୍ୱରେ ବିଜେଡି ୨୦୦୦ ମସିହାରୁ ମୋଟ ୧୫ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବାବେଳେ ସେଥିରୁ ୩ଟିରେ ପରାଜିତ ହୋଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିକୁ ନୂଆ ଟ୍ରେଣ୍ଡର ଦିଶା ଦେଖାଇଛି ଧାମନଗର ଉପନିର୍ବାଚନ ଫଳାଫଳ। ବିଜେଡି ସରକାରରେ ଥିବା ସତ୍ତ୍ବେ ଧାମନଗରରେ ଅମାନତ ହରାଇଛି ଦଳ। ସେହିପରି ୨୦୦୯ ପରଠୁ ଉପନିର୍ବାଚନ ହାରି ଆସୁଥିବା ଭାରତୀୟ ଜନତା ପାର୍ଟି ପ୍ରଥମଥର ପାଇଁ ଉପନିର୍ବାଚନ ଜିତି ଶାସକ ଦଳ ବିଜୁ ଜନତା ଦଳକୁ ଚେକମେଟ୍‌ ଦେବାରେ ସଫଳ ହୋଇଛି। ଧାମନଗର ଉପନିର୍ବାଚନରେ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟରେ ଭାରତୀୟ ଜନତା ପାର୍ଟି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଅନ୍ୟପଟେ ବିଜୁ ଜନତା ଦଳ ତୃତୀୟ ଥର ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଉପନିର୍ବାଚନ ଇତିହାସରେ ପରାଜିତ ହୋଇଛି।

ସବୁଠୁ ବଡ଼କଥା ହେଲା ନବୀନଙ୍କ ନେତୃତ୍ୱରେ ବିଜେଡି ୨୦୦୦ ମସିହାରୁ ମୋଟ ୧୫ଟି ଉପନିର୍ବାଚନର ସମ୍ମୁଖୀନ ହୋଇଥିବାବେଳେ ସେଥିରୁ ୩ଟିରେ ପରାଜିତ ହୋଇଛି। ତେବେ ବିଜେଡି ଏବେ ସଫଳତାର ଶିଖରରେ ଥିବା ସତ୍ତ୍ୱେ ଧାମନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ ଉଭୟ ବିଜେଡିର ସାଂଗଠନିକ ପରିଚାଳନା ଓ ଦଳୀୟ ନେତୃତ୍ୱଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିସହିତ ୨୫ ବର୍ଷର ରାଜନୈତିକ କ୍ୟାରିୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ୩ୟ ଥର ପାଇଁ ଉପନିର୍ବାଚନରେ ପରାଜିତ ହୋଇଛି।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ନବୀନ ପଟ୍ଟନାୟକ କ୍ଷମତାସୀନ ହେବାପରଠୁ ରାଜ୍ୟରେ ଏବେସୁଦ୍ଧା ମୋଟ ୧୫ଟି ଉପନିର୍ବାଚନ ହୋଇଛି। ସେ ମଧ୍ୟରୁ ବିଜେଡି ୧୧ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ୨ଟି ଲେଖାଏଁ ଉପନିର୍ବାଚନରେ ବିଜୟୀ ହୋଇଛନ୍ତି।

ସବୁଠୁବଡ଼ କଥା ହେଲା ୨୦୦୯ ମସିହାରେ ବିଜେପିର ହାତ ଛାଡ଼ି ନବୀନ ପଟ୍ଟନାୟକ ଏକାକି ସରକାର ଗଠନ କରିଥିଲେ। ସେବେଠୁ ବିଜେଡି ଆଉ ଉପନିର୍ବାଚନରେ ପରାଜୟ ସ୍ୱାଦ ଚାଖିନଥିଲା। ମାତ୍ର ଏହି ଟ୍ରେଣ୍ଡ ଧାମନଗରରେ ଭାଙ୍ଗିଛି। ଯାହାକୁ ନେଇ ରାଜନୀତି ବିଶେଷଜ୍ଞ ମାନେ କହିଛନ୍ତି ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ।

Leave A Reply

Your email address will not be published.