Odisha Link
Bridging the Missing Links in Odisha

ସଞ୍ଜୟଙ୍କ ବିଦ୍ରୋହ!

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିର ଏକ ସଭାରେ ଭାବପ୍ରବଣ ସଞ୍ଜୟ ରାଜ୍ୟରେ ପରିବର୍ତିତ ରାଜନୈତିକ ସମୀକରଣକୁ ଲକ୍ଷ୍ୟ କରି ଏଭଳି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି।

ଭୁବନେଶ୍ବର: ବିଜେଡିର ସାଧାରଣ ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆଜି ଏକ ଦଳୀୟ ସଭାରେ ଅସନ୍ତୋଷ ଝାଡ଼ିଛନ୍ତି। ଇତିହାସରେ ଶିଖି ଆଉ ମନାଇ ଓଡ଼ିଶାକୁ କଳାପାହାଡ଼କୁ ବାଟକଢ଼େଇ ଆଣିଥିବାବେଳେ ଏବେ ବି ଓଡ଼ିଶାକୁ ଲୁଣ୍ଠନ କରିବାକୁ କିଛି ଜାତିଦ୍ରୋହୀ ବିଦେଶୀ ଶକ୍ତିଙ୍କୁ ଡାକି ଆଣୁଛନ୍ତି ବୋଲି କହିଛନ୍ତି ସଂଜୟ। ଶିଖି-ମନାଇ ବୋଲି ସେ ଓଡ଼ିଶାର କେଉଁ ନେତା ଅଥବା ବ୍ୟକ୍ତିଙ୍କୁ ଇଙ୍ଗିତ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଚାଲିଥିବାବେଳେ ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିର ଏକ ସଭାରେ ଭାବପ୍ରବଣ ସଞ୍ଜୟ ରାଜ୍ୟରେ ପରିବର୍ତିତ ରାଜନୈତିକ ସମୀକରଣକୁ ଲକ୍ଷ୍ୟ କରି ଏଭଳି ମନ୍ତବ୍ୟ ଦେଇଥିବା ଅନୁମାନ କରାଯାଉଛି।

ପଦଯାତ୍ରାରେ ସଞ୍ଜୟ ଦାସବର୍ମା ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ବିଦେଶୀ ଶକ୍ତି ଦେଖୁଛନ୍ତି ଓଡ଼ିଶାର ଖଣିଜ ସଂପଦ, ପ୍ରାଚୁର୍ଯ୍ୟ, ରତ୍ନ ଭଣ୍ଡାର ସବୁକୁ ଲୁଣ୍ଠନ କରି ପଳେଇବେ। ମୁଁ କହିବାକୁ ଚାହେଁ ଏ ଜାତି ଭିତରେ ବି କିଛି ଶିଖି ମନାଇ ଥିଲେ। ଯେଉଁମାନେ ସେ ନିର୍ଜନ ରାତିରେ ବ୍ରିଟିଶଙ୍କୁ ରାସ୍ତା ଦେଖାଇଥିଲେ। ଯେମିତି କେଉଁ ବାଟେ ଗଲେ ଓଡ଼ିଶାକୁ ଦଖଲ କରିହେବ। ଓଡ଼ିଶାରେ ଏବେ ଏଭଳି ଶକ୍ତିମାନେ ସକ୍ରିୟ ଅଛନ୍ତି। ସେମାନଙ୍କୁ ପରାହତ କରିବାକୁ ପଡ଼ିବ। ଆମକୁ ସତର୍କ ରହିବାକୁ ପଡ଼ିବ। ଏ ଯେଉଁ ଷଡ଼ଯନ୍ତ୍ର ବ୍ରହ୍ମଗିରିର ବିକାଶକୁ ପଛକୁ ନେବାକୁ ଯେଉଁମାନେ କରୁଛନ୍ତି ତାର ଉଚିତ୍‌ ଯବାବ ସଠିକ୍‌ ସମୟରେ ଦିଆଯିବ।

ସେ ଆହୁରି କହିଛନ୍ତି ଯେ, କିଛି ଲୋକ ଭାବୁଛନ୍ତି ଆମେ ଯାହା କହିବୁ, ଯାହା ନିଷ୍ପତ୍ତି ନେବୁ, ସମସ୍ତେ ତାକୁ ଗ୍ରହଣ କରିନେବେ। କିନ୍ତୁ ମୁଁ କହି ରଖିବାକୁ ଚାହେଁ ଆମେ ଯେଉଁମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ସ୍ବାଭିମାନ ସହିତ ଆନ୍ଦୋଳନର ବ୍ରତି ଥିଲୁ, ମରିଯିବୁ ସିନା ସାଲିସ୍‌ ରାଜନୀତିକୁ ଗ୍ରହଣ କରିବୁ ନାହିଁ ବୋଲି ସଞ୍ଜୟ କହିଛନ୍ତି।

ସଞ୍ଜୟଙ୍କ ଏ ଭାଷଣ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ରାଜନୈତିକ ଚର୍ଚା ଯୋର ଧରିଛି। ତେବେ ଭାଷଣ ଦେବାବେଳେ ସେ କଳାପାହାଡ଼ ବଦଳରେ ଶିଖି-ମନାଇ ଇଂରେଜମାନଙ୍କୁ ଡାକି ଆଣିଥିଲେ ବୋଲି କହିଥିଲେ। ସେ କାହାକୁ ଶିଖି ଓ ମନାଇ ଭାବେ ଇଂଗିତ କଲେ ଏବଂ କିଏ ଇଂରେଜ, ସେ ନେଇ ସାଧାରଣରେ ଆଲୋଚନା ରୋଚକ ହେଉଛି।

ବିଜେଡିର ଜଣେ ପୁରୁଣା ଓ ଆଗଧାଡ଼ିର ନେତାଭାବେ ଜଣାଶୁଣା ସଞ୍ଜୟ ଏକମାତ୍ର ନେତା ଭାବେ ୨୦୧୯ରେ ବିଧାନସଭା ନିର୍ବାଚନରେ ପରାଜିତ ହୋଇ ମଧ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ହୋଇଥିଲେ। ପରେ ତାଙ୍କୁ ହଟାଇ ଅନ୍ୟକୁ ସଂପୃକ୍ତ ଦାୟିତ୍ବ ଦିଆଯାଇଥିଲା। ବ୍ରହ୍ମଗିରି ବିଧାନସଭା କ୍ଷେତ୍ର ପାଇଁ ତାଙ୍କ ଭିନ୍ନ କେହି ଦାବିଦାର ନଥିବାବେଳେ ଭାରତୀୟ ଜନତା ପାର୍ଟିର ସେ ଅଞ୍ଚଳର ଜଣେ ଯୁବନେତ୍ରୀ ବିଜେଡିରେ ମିଶିବା ନେଇ ଗୁଜବ ଶୁଣିବାକୁ ମିଳୁଛି।

Leave A Reply

Your email address will not be published.