Odisha Link
Bridging the Missing Links in Odisha

ଧାନ ସଂଗ୍ରହ ଆରମ୍ଭରୁ ବିଭ୍ରାଟ , ଚାଷୀଙ୍କୁ କଟନିଛଟନି ଭୟ

ଓଏଲ୍‌ ବ୍ୟୁରୋ: ବିଳମ୍ବରେ ଆରମ୍ଭ ହେଲା ଧାନ ସଂଗ୍ରହ। ଏଥିସହିତ ପ୍ରଥମ ଦିନରୁ ହିଁ ଦେଖିବାକୁ ମିଳିଲାଣି ବିଭ୍ରାଟ। ପ୍ରଥମ ଦିନରେ ବରଗଡ଼ ଜିଲ୍ଲାର ମାତ୍ର ୨୨ଟି ମଣ୍ଡିକୁ ଆସିଥିବା ୬୨୨୭ କ୍ବିଣ୍ଟାଲ ଧାନ ଉଠିପାରିଲା ନାହିଁ। ବଡ଼କଥା ହେଲା କେବଳ ଉପନିର୍ବାଚନ ହେଉଥିବାରୁ ପଦ୍ମପୁର ଉପଖଣ୍ଡରେ ଧାନ ଉଠିଛି। ଆଉ ଅନ୍ୟ ସ୍ଥାନ ଗୁଡ଼ିକରେ ଖୋଲା ଆକାଶ ତଳେ ବସ୍ତା ବସ୍ତା ଧାନ ପଡ଼ି ରହିଛି।

ଅପରପକ୍ଷେ ବରଗଡ଼ ଜିଲ୍ଲାର ସମସ୍ତ ଅଧିକାରୀ ପଦ୍ମପୁର ଉପନିର୍ବାଚନରେ ବ୍ୟସ୍ତ ରହିଛନ୍ତି। ସେପଟେ ବିଳମ୍ବରେ ଧାନ ସଂଗ୍ରହ ଯୋଗୁଁ ପଶ୍ଚିମ ଓଡ଼ିଶାର ଅନେକ ଚାଷୀ ଖୋଲା ବଜାରରେ ଧାନ ବିକ୍ରି କରି ଦେଇଥିବା ଖବର ଆସିବାରେ ଲାଗିଛି। ସ୍ଥିତି ଏତେ ଗମ୍ଭୀର ଆଡ଼କୁ ଯାଉଛି ଯେ ଧାନ ବିକ୍ରିକୁ ନେଇ ଚାଷୀ ସମସ୍ୟା ଆଗକୁ ଆହୁରି ଜଟିଳ ହୋଇପାରେ। ଏ ମଧ୍ୟରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ଖୋଲା ଧମକ ଦେଇଛି ଯେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଧାନ ସଂଗ୍ରହ ବେଳେ କଟନିଛଟନି ହେଲେ, ବରଦାସ୍ତ କରାଯିବନାହିଁ।

ବରଗଡ଼ ଜିଲ୍ଲାରେ ପ୍ରଥମ ଏବଂ ଦ୍ବିତୀୟ ସପ୍ତାହରେ ଧାନ ଅମଳ ଏବଂ କଟା ସରିଲାଣି। ଭିତ୍ତିଭୂମି ଅଭାବରୁ ଅନେକ ଚାଷୀ ସିଧାସଳଖ ଧାନ ବ୍ୟବସାୟୀଙ୍କୁ ବିକ୍ରି କରି ଦେଇଛନ୍ତି। ୨୨ ତାରିଖରୁ ସମ୍ବଲପୁର ସଦର ଉପଖଣ୍ଡ, ୨ ତାରିଖରୁ କୁଚିଣ୍ଡା ଏବଂ ୯ ତାରିଖରୁ ରେଢାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ହେବ। କିଛି ଦିନ ପୂର୍ବରୁ ସମ୍ବଲପୁର ଜିଲ୍ଲା ଗୋଶାଳା ରାସ୍ତାରେ ସ୍ଥିତ ସାନସିଂହାରୀ, ରଘୁନାଥପାଲିରେ ଦଲାଲ ନେଇ ଯାଉଥିବା ୩୦୬ କ୍ବିଣ୍ଟାଲ ଧରା ପଡ଼ିଥିଲା।

Leave A Reply

Your email address will not be published.