Odisha Link
Bridging the Missing Links in Odisha

ବଡ଼ଧରଣର ସାଇବର ଆକ୍ରମଣ, ଦିଲ୍ଲୀ ଏମ୍ସରୁ ୪ କୋଟି ରୋଗୀଙ୍କ ତଥ୍ୟ ଚୋରି

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ବଡ଼ଧରଣର ସାଇବର ଆକ୍ରମଣ। ଏମ୍ସରେ ଅନଲାଇନ୍‌ ସିଷ୍ଟମ ବା ସର୍ଭରକୁ ହ୍ୟାକ୍‌ କରି ତଥ୍ୟ ଚୋରି କଲେ ହ୍ୟାକର। ଏମ୍ସ ସିଷ୍ଟମ୍‌ରୁ ୪ କୋଟିରୁ ଅଧିକ ରୋଗୀଙ୍କ ତଥ୍ୟ ଚୋରାଇ ନେଇଛନ୍ତି ହ୍ୟାକରମାନେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନେକ ବିଶିଷ୍ଟ ନେତାଙ୍କ ତଥ୍ୟ ଏଥିରେ ସାମିଲ ରହିଛି। ଘଟଣାର ଖୁଲାସା ହେବା ପରେ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏମ୍ସର ଦୁଇଜଣ ସିଷ୍ଟମ୍‌ ଆନାଲିଷ୍ଟଙ୍କୁ ନିଲମ୍ବନ କରାଯାଇଛି।

ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାକୁ ସବୁଠୁ ବଡ଼ ସାଇବର ଆକ୍ରମଣ ବିବେଚନା କରାଯାଉଛି। ଦୁଇଦିନ ପୂର୍ବେ ହୋଇଥିବା ଏହି ହମ୍‌ଲା ପରେ ଏନ୍‌ଆଇସି, ସିବିଆଇ, ଆଇବି, ଡିଆର୍‌ଡିଓ ଏବଂ ଦିଲ୍ଲୀ ପୁଲିସ ଆକ୍ସନ୍‌ ମୋଡ୍‌କୁ ଆସି ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ତେବେ ଏହି ଘଟଣା ପଛରେ ଅନ୍ତର୍ଜାତୀୟ ସାଇବର ଅପରାଧୀଙ୍କ ହାତ ଥିବା ଆଶଙ୍କା କରାଯାଉଛି। ଏହାକୁ ସାଇବର ଆତଙ୍କବାଦ ଘଟଣା ବିବେଚନା କରିଛି ଦିଲ୍ଲୀ ପୁଲିସ। ୮ ବର୍ଷ ତଳେ ଦିଲ୍ଲୀ ଏମ୍‌ସର ତଥ୍ୟ ସମ୍ପୂର୍ଣ୍ଣ ଡିଜିଟାଲ ହୋଇଥିଲା। ଏହାପରେ ସୋନିଆ ଏବଂ ବାଜପେୟୀଙ୍କ ସମେତ ପୂର୍ବତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ଅନ୍ୟ ବିଶିଷ୍ଟ ନେତା ତଥା ବ୍ୟକ୍ତିଙ୍କର ଏଠାରେ ଚିକିତ୍ସା କରାଯାଇଥିଲା। ତେଣୁ ଚୋରି ହୋଇଥିବା ୪ କୋଟି ରୋଗୀଙ୍କ ତଥ୍ୟ ମଧ୍ୟରେ ଏମାନଙ୍କର ଡାଟା ବି ରହିଥିବା କୁହାଯାଉଛି।

ଏହାପରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଏମ୍ସର ଅନ୍‌ଲାଇନ୍‌ କେନ୍ଦ୍ରୀକୃତ ବ୍ୟବସ୍ଥା ସହ ଜଡ଼ିତ ସମସ୍ତ କମ୍ପ୍ୟୁଟରର ତନଖି କରୁଛନ୍ତି। ସାଇବର ବିଶେଷଜ୍ଞ ଓ ସଫ୍ଟୱେର ଇଞ୍ଜିନିୟରମାନେ ଡାଟା ହ୍ୟାକ୍‌ର ଉତ୍ସ ଏବଂ ରିସିଭର୍‌ର ତଲାସୀରେ ଲାଗିପଡ଼ିଛନ୍ତି। ଏହାଛଡ଼ା ସାଇବର ଆକ୍ରମଣର ସମ୍ଭାବ୍ୟ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଉପାୟ ବାହାର କରୁଛନ୍ତି। ସେତିକି ନୁହେଁ, ଏମ୍‌ସର ଇଣ୍ଟରନେଟ୍‌ ବନ୍ଦ କରିଦିଆଯାଇଛି। ଇ-ହସ୍ପିଟାଲ ଡାଟାବେସ୍‌ ଏବଂ ଲାବ୍‌ ଇନ୍‌ଫର୍ମେସନ ସିଷ୍ଟମ୍‌ର ଡାଟାବେସ୍‌କୁ ବାହ୍ୟ ହାର୍ଡ ଡ୍ରାଇଭ୍‌କୁ ସ୍ଥାନାନ୍ତର କରାଯାଇଛି। ଆଉ ୪ଟି ଅତିରିକ୍ତ ସର୍ଭର ସଂସ୍ଥାପନ ହୋଇଛି। ଓପିଡି ଏବଂ ଆଇପିଡିରେ ସମସ୍ତ କାମ ମାନୁଆଲ୍‌ ହେଉଛି।

Leave A Reply

Your email address will not be published.