Odisha Link
Bridging the Missing Links in Odisha

୫ ବର୍ଷରେ ୨୦ ଲକ୍ଷ ଚାକିରି

ଓଏଲ୍‌ ବ୍ୟୁରୋ: ଗୁଜୁରାଟ ନିର୍ବାଚନ ପାଇଁ ସରଗରମ ରାଜନୀତି। ଭାରତୀୟ ଜନତା ପାର୍ଟି, କଂଗ୍ରେସ ଓ ଆମ୍‌ ଆଦମି ପାର୍ଟି କରୁଛନ୍ତି ଜୋରଦାର ପ୍ରଚାର। ପୂର୍ବରୁ କଂଗ୍ରେସ ଓ ଆପ୍‌ ନିଜ ନିଜ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରକାଶ କରି ସାରିଥିବା ବେଳେ ଆଜି ବିଜେପି ପ୍ରକାଶ କରିଛି ନିର୍ବାଚନୀ ସଂକଳ୍ପ ପତ୍ର।

ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଗୁଜରାଟରେ ଦୁଇଟି ସିଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ। ଆସନ୍ତା ୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ୧ଲକ୍ଷ ମହିଳାଙ୍କୁ ବି ମିଳିବ ରୋଜଗାର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂକଳ୍ପ ପତ୍ର ଜାରି କରି ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି।

ଗୁଜରାଟରେ ୨୭ବର୍ଷ ହେଲା କ୍ଷମତାରେ ରହିଛି ବିଜେପି। ଏଥର ସରକାର ବିରୋଧୀ ଜନମତ ଅଧିକ ଥିବା ଆଶଙ୍କା କରୁଛି ଦଳ। ନିର୍ବାଚନୀ ମୈଦାନରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ଲଢୁଆ ମନୋବୃତ୍ତିକୁ ନେଇ ଦଳର ଏହି ଆଶଙ୍କା ଅଧିକ ବଢିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର ଗୁଜରାଟ ଆସି ପ୍ରଚାର କରୁଛନ୍ତି। ଏଭଳି ସ୍ଥିତିରେ ଗୁରୁତ୍ୱର ସହ ଦଳ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି।

ନିର୍ବାଚନୀ ସଂକଳ୍ପ ପତ୍ରରେ ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍ ସ୍କୁଟି ଦିଆଯିବ। ଜଳସେଚନ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୟୁସିସି କମିଟି ପ୍ରସ୍ତାବକୁ ଲାଗୁ କରାଯିବ ବୋଲି ମଧ୍ୟ ରହିଛି। ସୂଚନାଥାଉକି ଏଥର ଦୁଇଟି ପର୍ଯ୍ୟାୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୧ ଓ ଡିସେମ୍ବର ୫ ତାରିଖରେ ଭୋଟ ଦେବେ ଜନତା। ସେହିପରି ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହେବ ।

Leave A Reply

Your email address will not be published.