Odisha Link
Bridging the Missing Links in Odisha

ପଦ୍ମପୁର: ବର୍ଷାଙ୍କ ପାଇଁ ପ୍ରଚାର କରିବେ ନବୀନ

ଓଏଲ୍‌ ବ୍ୟୁରୋ: ଆଜି ପଦ୍ମପୁରରେ ପାଓ୍ବାର ସୋ’ କରିବ ବିଜୁ ଜନତା ଦଳ। ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିନକରେ ତିନୋଟି ଜନସଭରେ ପଦ୍ମପୁରବାସୀଙ୍କୁ ସମ୍ବୋଧିକ କରିବେ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟା ସମୟରେ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ଏହାପରେ ୧୧ଟା ୨୫ ସମୟରେ ସେ ଝାରବନ୍ଧର ଶକ୍ତି ଛକ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ଜନସଭାକୁ ସମ୍ବୋଧିତ କରିବେ। ଝାରବନ୍ଧରୁ କାର୍ଯ୍ୟକ୍ରମ ସାରି ଦିନ ୧୨.୩୦ରେ ପାଇକମାଳ ଏମ୍‌ଇସ୍କୁଲ ପଡ଼ିଆ ହେଲିପ୍ୟାଡ୍‌ରେ ପହଁଚିବେ। ସେଠାରେ ଜନସଭାକୁ ସମ୍ବୋଧିତ କରିବା ପରେ ପଦ୍ମପୁରସ୍ଥିତ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପ ପରିସରସ୍ଥ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ସାଢ଼େ ୩ଟାରେ ପଦ୍ମପୁରଠାରେ ନିର୍ବାଚନୀ ସଭାରେ ‌ଯୋଗଦେଇ ସେ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ପୁଣି ଭୁବନେଶ୍ବର ଅଭିମୁଖେ ବିମାନରେ ଯାତ୍ରା କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ନବୀନ ନିଜେ ପଦ୍ମପୁର ଯାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ଅଟକିଛି। କାରଣ ଧାମନଗର ଉପନିର୍ବାଚନ ହେଉ କିମ୍ବା ୨୦୧୯ ପରେ ହୋଇଥିବା ଅନ୍ୟ କୌଣସି ଉପନିର୍ବାଚନରେ ପ୍ରଚାର ପାଇଁ ନିଜେ ଯାଇନଥିଲେ ମୁଖ୍ୟମନ୍ତ୍ରୀ। ବରଂ ଭର୍ଚୁଆଲ୍ ସମାବେଶରେ ଭୋଟ ଅପିଲ କରିଥିଲେ। ଧାମନଗରରେ ପରାଜୟ ଓ ପଦ୍ମପୁର ଜିତିବାକୁ ବିଜେପି ଜୋରଦାର ପ୍ରୟାସ କରୁଥିବାରୁ ଏଥର ନିଜେ ମଇଦାନକୁ ଓହ୍ଲାଇଛନ୍ତି ନବୀନ।

Leave A Reply

Your email address will not be published.