Odisha Link
Bridging the Missing Links in Odisha

ବାଂଲାଦେଶ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ। ଏହି ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା । ଦଳର ଷ୍ଟାର ପେସ୍‌ ବୋଲର ମହମ୍ମଦ ସାମି ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଯୁବ ପେସ୍‌ ବୋଲର ଉମରାନ୍‌ ମଲ୍ଲିକଙ୍କୁ ଦଳରେ ସ୍ଥାନ ମିଳିଛି।

କାନ୍ଧ ଆହତ କାରଣରୁ ସାମି ବର୍ତ୍ତମାନ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଏନସିଏର ଡାକ୍ତର ଟିମ୍‌ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପଟେ ବାଂଲାଦେଶ ଟିମ୍‌କୁ ମଧ୍ୟ ଡବଲ ଝଟକା ଲାଗିଛି । ବାଂଲାଦେଶର ଷ୍ଟାର ବ୍ୟାଟସମ୍ୟାନ୍‌ ତମିମ ଇକ୍‌ବାଲ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ସେହିପରି ଷ୍ଟାର ପେସ୍‌ ବୋଲର ତସ୍କିନ୍‌ ଅହମ୍ମଦ ପ୍ରଥମ ଦିନିକିଆରୁ ବାଦ ପଡ଼ିଛନ୍ତି। ଯାହା ବାଂଲାଦେଶ ଟିମ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲିଟିଛି।

ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ପରେ ଟ୍ରେନିଂ ସମୟରେ ଆହତ ହୋଇଥିଲେ ସାମି। ପୂର୍ବରୁ ଦଳରେ ମହମ୍ମଦ ସିରାଜ୍, ଦୀପକ ଚହର, ସର୍ଦୁଲ ଠାକୁର ଓ କୁଲଦୀପ ସେନ୍ ଆଦି ପେସ୍ ବୋଲର ରହିଛନ୍ତି । ସାମିଙ୍କ ସ୍ଥାନରେ ଉମ୍ରାନ ସାମିଲ ହେବା ପରେ ଦଳ ଆହୁରି ମଜବୁତ ହୋଇଛି ।

ବାଂଲାଦେଶ ବିରୋଧରେ ଡିସେମ୍ବର ୪ତାରିଖରେ ଢାକାରେ ଖେଳାଯିବ ପ୍ରଥମ ଓ୍ବାନଡେ ମ୍ୟାଚ୍ ୭ତାରିଖରେ ଦ୍ବିତୀୟ ମ୍ୟାଚ୍ ଓ ୧୦ରେ ତୃତୀୟ ଦିନିକିଆ ଖେଳାଯିବ। ଏହା ପରେ ଡିସେମ୍ବର ୧୪ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ। ସେହିପରି ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ।

Leave A Reply

Your email address will not be published.