Odisha Link
Bridging the Missing Links in Odisha

କାଲିଠୁ ସଂସଦର ଶୀତକାଳୀନ ଅଧିବେଶନ, ଆରମ୍ଭରୁ ଉଷ୍ମ ହେବ ଗୃହ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହାପୂର୍ବରୁ ଆଜି ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ, ବିଜେଡି ସମେତ ୩୧ଟି ରାଜନୈତିକ ଦଳର ନେତା ଯୋଗ ଦେଇଥିଲେ । ଏଥିରେ ବିରୋଧୀ ଦଳମାନେ ମୂଲ୍ୟବୃଦ୍ଧି, ବେକାରୀ, ଚୀନ୍ ସୀମା ପରିସ୍ଥିତି, କଲେଜିୟମ ସମ୍ପର୍କିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସଂଘୀୟ ଢାଞ୍ଚା ବିଷୟ ତଥା ଆର୍ଥିକ ରୂପେ ଦୁର୍ବଳ ଲୋକଙ୍କ ସଂରକ୍ଷଣ ଉପରେ କୋର୍ଟଙ୍କ ରାୟ ଓ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ଉଠାଇବା ଓ ଏ ବାବଦରେ ଚର୍ଚ୍ଚା କରିବା ଲାଗି ପର୍ଯ୍ୟାପ୍ତ ସମୟ ଦାବି କରିଛନ୍ତି।

ଅନ୍ୟପଟେ ସରକାର ବିରୋଧୀ ଦଳ ନେତାମାନଙ୍କୁ ଆଲୋଚନା ଲାଗି ପର୍ଯ୍ୟାପ୍ତ ସମୟ ଦେବାକୁ ଆଶ୍ବସନା ଦେଇଛନ୍ତି । ସରକାର କହିଛନ୍ତି ଯେ ନିୟମାନୁସାର ଲୋକସଭା ଅଧ୍ୟକ୍ଷ ଓ ରାଜ୍ୟସଭା ସଭାପତିଙ୍କ ଅନୁମତିରେ ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ଚାହିଁବେ ସରକାର ଏଥିରେ ତାଙ୍କର ତର୍କ ରଖିବେ। ଏଥିରୁ ସଂସଦର ଆଗାମୀ ଶୀତ ଅଧିବେଶନ ବେଶ ହଙ୍ଗାମାଦାର ହେବ ବୋଲି ଆକଳନ କରାଯାଉଛି।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସଂଘୀୟ ଢାଞ୍ଚା ଉପରେ ଆଘତ ସମ୍ପର୍କିତ ପ୍ରସଙ୍ଗ ଆମେ ଉଠାଇବୁ। ଏହା ଛଡା ସୀମାରେ ଚୀନକୁ ନେଇ ଯେଉଁ ପ୍ରଶ୍ନ ଛିଡା ହୋଇଛି ତାକୁ ନେଇ ମଧ୍ୟ ଆମେ ସଂସଦରେ ଆଲୋଚନା ଚାହୁଁଛୁ। ଏହା ଛଡା କାଶ୍ମୀରରୁ ହିନ୍ଦୁଙ୍କ ପଳାୟନ ପ୍ରସଙ୍ଗରେ ମଧ୍ୟ ଆମେ ସଂସଦରେ ଆଲୋଚନା ଚାହୁଁଛୁ।

ସଂସଦର ଶୀତ ଅଧିବେଶନ ଡିସେମ୍ବର ୭ ତାରିଖ ବୁଧବାର ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଏଧିବେଶନର ମୋଟ ୧୭ଟି କାର୍ଯ୍ୟ ଦିବସ ରହିବ। ସଂସଦର ଏହି ଅଧିବେଶନରେ ସରକାର ୧୬ଟି ବିଧେୟକ ଉପସ୍ଥାପନ କରିବେ ବୋଲି ପୂର୍ବରୁ ସୂଚୀ ଜାରି କରିଛନ୍ତି।

Leave A Reply

Your email address will not be published.