Odisha Link
Bridging the Missing Links in Odisha

୨୦୨୪ ପୂର୍ବରୁ ବହୁତ କିଛି ହେବ : ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ସରିଛି ପଦ୍ମପୁର ଫାଇଟ୍‌। ହେଲେ କମିନି ରାଜନୈତିକ ଉଷ୍ମତା। ପଦ୍ମପୁରରେ ବିଜେଡିର ବଡ଼ ବିଜୟ ପରେ ବିଧାୟକ ସୁଶାନ୍ତ ସିଂହ ଦେଇଛନ୍ତି ବଡ଼ ବୟାନ। ସୁଶାନ୍ତ ସିଂହଙ୍କ ମିଶନ ୧୨୫ର ବୟାନକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳର ନେତା ଏହାକୁ ନେଇ ବୟାନବାଜି କରିଥିବାବେଳେ, ଏବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୪ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ ବୋଲି ଶୁଣୁଛି। ନିର୍ବାଚନକୁ ବହୁତ ଦିନ ଅଛି, ବହୁତ କଥା ହେବ। ମହାନଦୀ, ବୈତରଣୀରେ ଅନେକ ପାଣି ବୋହିବ। ପଦ୍ମପୁର ଫଳାଫଳ, ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବା କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି। ଜନାଦେଶକୁ ସ୍ୱୀକାର କରୁଛୁ। ତେବେ ନିର୍ବାଚନରେ ଯିଏ ଜିତେ, ସେ ବଢି ଚଢି କହିବା ସ୍ୱାଭାବିକ । ଅନ୍ୟପଟେ ଭିଡିଓରେ ବାର୍ତ୍ତା ମନ୍ତବ୍ୟ ରଖୁଥିବା ବ୍ୟକ୍ତି ଭୁଲିବା ଉଚିତ୍ ନୁହଁ ଯେ, ବିଜେପିକୁ ପଦ୍ମପୁରରେ ୭୮ ହଜାରରୁ ଅଧିକ ଭୋଟ୍ ମିଳିଛି । ତା ଭିତରେ ମହିଳା ଭୋଟର ବି ସାମିଲ ଅଛନ୍ତି । ପ୍ରଜାତନ୍ତ୍ରରେ ଜିତିବା ଲୋକ ଅଧିକ କହିବେ, ହାରିବା ଲୋକକୁ ଏହା ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସୂଚନାଯୋଗ୍ୟ, ପଦ୍ମପୁର ବିଜୟ ପରେ ଶାସକ ଦଳ ବିଜେଡି ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବିଧାୟକ ସୁଶାନ୍ତ ସିଂହ କହିଛନ୍ତି ଯେ, ଗତ ନିର୍ବାଚନରେ ଷ୍ଟ୍ରାଟେଜି କିଛି ମାତ୍ରାରେ ଫେଲ ମାରିଥିଲା। ଯେଉଁଥିପାଇଁ ୧୧୪ ଆସନରେ ଦଳ ଜିତିଥିଲା। କିନ୍ତୁ ଏଥର ଷ୍ଟ୍ରାଟେଜି ଫେଲ୍ ମାରିବନି। ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଯାହାର ଲୋକପ୍ରିୟତା ରହିଥିବ ତାଙ୍କୁ ଟିକେଟ ଦିଆଯିବ ଏବଂ ବିଜେଡି ୧୨୫ରୁ ଅଧିକ ଆସନ ଅକ୍ତିଆର କରିବ ବୋଲି ସୁଶାନ୍ତ କହିଛନ୍ତି।

Leave A Reply

Your email address will not be published.