ଚାକିରିରୁ ବହିଷ୍କୃତ ହେଲେ ୯୬ ଜଣ ପ୍ରାଥମିକ ଶିକ୍ଷକ
ଓଏଲ୍ ବ୍ୟୁରୋ: କଠୋର ହେଲେ ରାଜ୍ୟ ସରକାର। ଦୀର୍ଘଦିନଧରି ବିନା ଅନୁମତିରେ ସ୍କୁଲରେ ଅନୁପସ୍ଥିତ ରହୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାର। ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ବର୍ଗରେ କାର୍ଯ୍ୟ କରୁଥିବା ୯୬ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।
ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ୨୬ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାବେଳେ ୧୫୪ଜଣ ପ୍ରାଥମିକ ଶିକ୍ଷକଙ୍କୁ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯିବା ସହ ଏଭଳି କାର୍ଯ୍ୟ କ୍ଷେତ୍ରରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ବିରୁଦ୍ଧରେ ଉଚିତ୍ ଦଣ୍ଡବିଧାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଗତ ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସେଣ୍ଟ୍ରାଲ ଜୋନର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀମାନଙ୍କ ଦୁଇ ଦିନିଆ କର୍ମଶାଳା ଓ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷାଦାନ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଥିବା ନେଇ ଆଲୋଚନା କରାଯାଇଛି। ମିଳିଥିବା ସୂଚନା ମୁତାବିକ, ରାଜ୍ୟରେ ଦୀର୍ଘବର୍ଷ ଧରି ପ୍ରାୟ ୨୫୦ଜଣ ଶିକ୍ଷକ ବିନାନୁମତିରେ ଅନୁପସ୍ଥିତ ରହିଛନ୍ତି।