Odisha Link
Bridging the Missing Links in Odisha

୧୯ଟି ସହରରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ- ବୁନ୍ଦାଏ ବି ପାଣି ନଷ୍ଟ କରନାହିଁ

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କ ମୁହଁରେ ହସ, ପିଇବା ପାଣି ପାଇଁ ଅପେକ୍ଷାରୁ ମୁକ୍ତି। ଆଉ ରହିବ ନାହିଁ ପାନୀୟ ଜଳ ସମସ୍ୟା। ସଭିଙ୍କ ପାଖରେ ପହଞ୍ଚିବ ବିଶୁଦ୍ଧ ପାଣି। କାରଣ ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ଉପଭୋକ୍ତାମାନେ ସେମାନଙ୍କ ଖୁସି ବ୍ୟକ୍ତ କରି କହିଲେ ଯେ ପାଣି ପାଇଁ ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଅପେକ୍ଷା କରିବା, ପାଣିକୁ ସାଇତି ରଖିବା ଆଦି ସବୁ ଜଞ୍ଜାଳରୁ ମୁକ୍ତି ମିଳିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ଧନ୍ୟବାଦ।

ଆଜି ଲୋକସେବା ଭବନର କନ୍‌ଭେନସନ ହଲରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ଟି ଉପକ୍ରମରେ ରାଜ୍ୟର ୧୯ଟି ସହରରେ ୨୪X୭ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ସହର ଗୁଡିକ ହେଲା – ଭୁବନେଶ୍ବର, କଟକ, ନିମାପଡା, ବ୍ରହ୍ମପୁର, ଗୋପାଳପୁର, ରାଉରକେଲା, ସୁନ୍ଦରଗଡ, ବୀରମିତ୍ରପୁର, ରାଜଗାଙ୍ଗପୁର, କେନ୍ଦୁଝର, ଯୋଡା, ବଡବିଲ୍‌, ଚମ୍ପୁଆ, ଆନନ୍ଦପୁର, ବାରିପଦା, ରାଇରଙ୍ଗପୁର, ଉଦଳା, କରଞ୍ଜିଆ ଓ ବ୍ୟାସନଗର । ଏହିସବୁ ସହର ଗୁଡିକର ୫.୫୦ ଲକ୍ଷ ଲୋକ ଏଥିରୁ ଉପକାର ପାଇଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ୫ଟି ଉପକ୍ରମରେ ପୁରୀରେ ସବୁ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ସୁବିଧା ମିଳିଥିଲା।

ଆଜି ଗୋପାଳପୁରରେ ମଧ୍ୟ, ରାଜ୍ୟର ଦ୍ବିତୀୟ ସହର ଭାବରେ ଶତ ପ୍ରତିଶତ ଲୋକଙ୍କୁ ଡ୍ରିଙ୍କ ଫ୍ରମ ଟ୍ୟାପ ବ୍ୟବସ୍ଥାର ସୁବିଧା ମିଳିଲା। ଏହାବ୍ୟତୀତ ଖୋର୍ଦ୍ଧା, ଜଟଣୀ ଓ ହିଞ୍ଜିଳିକାଟୁ ସହର ପାଇଁ ମୁଖ୍ୟମନ୍ତ୍ରୀ ଡ୍ରିଙ୍କ ଫ୍ରମ ଟ୍ୟାପ କାର୍ଯ୍ୟକ୍ରମର ଆରମ୍ଭ ଘୋଷଣା କରିଥିଲେ । ଏହାଦ୍ବାରା, ଏହି ୩ଟି ସହରର ୧.୫୦ ଲକ୍ଷ ଲୋକ ଉପକାର ପାଇବେ । ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତି ପରିବାରକୁ ଭଲ ପିଇବା ପାଣି ଯୋଗାଇବା ମୋର ବହୁତ ଦିନର ସ୍ବପ୍ନ ଏବଂ ଏହା ସବୁବେଳେ ମୋ ସରକାରର ପ୍ରାଥମିକତା ହୋଇ ରହିଛି। ୧୯ଟି ସହରକୁ ଡ୍ରିଙ୍କ ଫ୍ରମ ଟ୍ୟାପ ସେବାରେ ଯୋଡି, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଏକ ଐତିହାସିକ ଦିନ । ଜଳ ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ। ତେଣୁ ଆମେ ଏହାକୁ ଉପଯୁକ୍ତ ଭାବେ ବ୍ୟବହାର କରିବା ଉଚିତ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବୁନ୍ଦା ଜଳ ନଷ୍ଟ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଳ ହେଉଛି ଜୀବନ। ଜନସ୍ବାସ୍ଥ୍ୟ ଓ ଦୈନନ୍ଦିନ ଜୀବନର ସୁବିଧା ପାଇଁ ସ୍ବଚ୍ଛ ଜଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫ଟି ଉପକ୍ରମ ରେ ଏହି ସୁବିଧା ଦ୍ବାରା ଜନସାଧାରଣଙ୍କ ଜୀବନ ଧାରଣ ମାନରେ ପ୍ରଭୂତ ଉନ୍ନତି ଆଣିବ । ବିଶ୍ବର ବଡ ବଡ ସହରର ବ୍ୟବସ୍ଥା ସହିତ ଆଜି ଓଡିଶାର ସହର ଗୁଡିକ ମଧ୍ୟ ଯୋଡି ହୋଇଛନ୍ତି। ଏହି ସେବା ପାଇଁ ମୁଖ୍ୟମନ୍ତ୍ରୀ ୱାଟ୍‌କୋକୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.