Odisha Link
Bridging the Missing Links in Odisha

କିଏ ପାଇବ ସାହିତ୍ୟ ଏକାଡେମୀ ପୁରସ୍କାର? ଆଜି ଘୋଷଣା

ସାହିତ୍ୟ ସଂଗଠକ ବିଜୟାନନ୍ଦ ସିଂହ ଏକାଡେମୀ ଦାୟିତ୍ବ ନେବା ପରଠାରୁ ଏକାଡେମୀର କାର୍ଯ୍ୟକଳାପ ଏକ ଗୋଷ୍ଠୀ ଭିତରେ ସୀମିତ ରହିଛି। ଖୁସିରକଥା ଶ୍ରୀ ସିଂହଙ୍କର କାର୍ଯ୍ୟକାଳ ସରିଆସୁଛି ଏବଂ ଖୁବ୍‌ ଶୀଘ୍ର ନୂଆ ପରାମର୍ଶଦାତା ମଣ୍ଡଳୀ ଓ ଆବାହକ ଦାୟିତ୍ବ ନେବେ।

ଭୁବନେଶ୍ବର: କିଛିଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରୁ ଆଦି ପରଦା ଉଠିବ। ଓଡ଼ିଶାରୁ କେଉଁ ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ତାହା ଆଜି ସ୍ପଷ୍ଟ ହୋଇଯିବ। ଏକାଡେମୀ ପକ୍ଷରୁ ଆଜି ପୁରସ୍କାର ତାଲିକା ଘୋଷଣା କରାଯିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଏ ପୁରସ୍କାର ଏଥର କବି ଓ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ ପାଉଛନ୍ତି ବୋଲି ଯେଉଁ ଗୁଜବ ପ୍ରଚାର ହେଉଛି ତାହା ମିଥ୍ୟା ପ୍ରମାଣିତ ହେବାକୁ ଯାଉଛି। ଓଡ଼ିଶାର ଅନ୍ୟଜଣେ ଲେଖକ ଏଥର ଏ ପୁରସ୍କାର ପାଇବେ ବୋଲି ଚୟନ କମିଟି ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କଠାରୁ ସୂଚନା ମିଳିଛି।

ଶ୍ରୀ ଦାସ ଏଯାଏଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇପାରିନାହାନ୍ତି। ସେ ସଂସ୍କୃତି ବିଭାଗ ନିର୍ଦେଶକ ଥିବାଯାଏଁ ଏ ପୁରସ୍କାର ପାଇବା ଆଶା ମଧ୍ୟ କ୍ଷୀଣ। ତେବେ ସେ ଖୁଉବ୍‌ ଶୀଘ୍ର ପଦୋନ୍ନତି ପାଇ ସଚିବ ଅଥବା ରାଜସ୍ବ କମିଶନର ହେବାର ସମ୍ଭାବନା ରହିଛି। ଏହା ପରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ସେ ଉଦ୍ୟମ କରିପାରନ୍ତି।

୨୦୨୩ ଶେଷ ଆଡ଼କୁ ଶ୍ରୀ ଦାସ ଚାକିରିରୁ ଆଗୁଆ ଅବ୍ୟାହତି ନେଇ ରାଜନୀତିକୁ ଲମ୍ଫ ପ୍ରଦାନ କରିବେ ଏବଂ ବିଜୁ ଜନତା ଦଳ ଟିକେଟ୍‌‌ରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଢ଼ିବେ ବୋଲି ମଧ୍ୟ ଯୋର ପ୍ରଚାର ଚାଲିଛି। ଏପରିକି ଶ୍ରୀ ଦାସ ଏବେଠାରୁ ଘନଘନ ଜିଲ୍ଲାଗସ୍ତ କରି କ୍ଷେତ୍ର ପ୍ରସ୍ତୁତି ପାଇଁ ଲାଗିଥିବା ସୂଚନା ମିଳିଛି। ସଂପ୍ରତି ବିଧାୟକ ଥିବା ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ବୟସ ଏବେ ୭୫ ବର୍ଷରୁ ଅଧିକ ହୋଇଥିବୋବେଳ ବିଜେଡି ଟିକେଟ୍‌‌ରେ ସେ ଲଗାତାର ୪ ଥର ବିଧାୟକ ରହିସାରିଛନ୍ତି। ଏଣୁ ଦଳ ତାଙ୍କ ସ୍ଥାନରେ ନୂଆ ମୁହଁ ଖୋଜୁଥିବା ଅନୁମାନ କରାଯାଉଛି। ପୂର୍ବରୁ ଯାଜପୁରର ଜିଲ୍ଲାପାଳ ଥିବା ଶ୍ରୀ ଦାସ ଦଳର ତୁଙ୍ଗ ନେତାଙ୍କ କୃପା ପାଇବାର ସମ୍ଭାବନା ସର୍ବାଧିକ ବୋଲି ତାଙ୍କ ଘନିଷ୍ଠମାନେ ଦୃଢ଼ୋକ୍ତି ବାଢ଼ିଛନ୍ତି।

ଶ୍ରୀ ଦାସ ଜଣେ ସାହିତ୍ୟିକ ହୋଇଥିବାରୁ ସେ ବିଭାଗର ନିର୍ଦେଶକ ହେବା ପରେ ସାହିତ୍ୟ ମହଲରେ ଯେଉଁ ଉତ୍ସାହ ଓ ଆଶା ସଂଚାର ହୋଇଥିଲା ତାହା ଅଳ୍ପ କେତେଦିନ ପରେ ମଉଳିଗଲା। ସାହିତ୍ୟର ଉନ୍ନତି ନୁହେଁ ବରଂ ନିଜ ସାହିତ୍ୟି ଓ ରାଜନୈତିକ ଭବିଷ୍ୟତକୁ ଉଜ୍ଜ୍ବଳ କରିବାକୁ ଶ୍ରୀ ଦାସ ସରକାରୀ ଚାକିରିକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ସେ ବିଭାଗକୁ ଆସିବା ପରଠାରୁ ତାଙ୍କର ପ୍ରାୟ ୧୭ଟି ପୁସ୍ତକ ବିଭିନ୍ନ ପ୍ରକାଶକଙ୍କ ଦ୍ବାରା ପ୍ରକାଶିତ ହୋଇ ସାରିଲାଣି। ଏହା ସହ ସଂଗୀତ ନାଟକ ଏକାଡେମୀ କ୍ଷମତାକୁ ବ୍ୟବହାର କରି ସେ ଏକାଧିକ ସିନେମାରେ କାହାଣୀ ଓ ଗୀତ ଲେଖିବା ସହ ବହୁ ସଂଗୀତ ଆଲବମ କରି ସାରିଛନ୍ତି।

ବର୍ତମାନ ଏକାଡେମୀର ଓଡ଼ିଆ ଭାଷା ପରାମର୍ଶଦାତା କମିଟିର ଆବାହକ ଥିବା ସାହିତ୍ୟ ସଂଗଠକ ବିଜୟାନନ୍ଦ ସିଂହଙ୍କ ସହ ଶ୍ରୀ ଦାସଙ୍କର ଘନିଷ୍ଠତା ସର୍ବଜନବିଦିତ। ନିକଟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭୁବନେଶ୍ବରରେ ‘କଥିତ ଓ ଆଦିବାସୀ ଭାଷା କେନ୍ଦ୍ର’ ନାମରେ ଏକ ଅନୁଷ୍ଠାନ ଖୋଲିଥିବାବେଳେ ଏଠାରେ ଶ୍ରୀ ସିଂହ ବସିବେ। ଏଥିପାଇଁ ନିର୍ଦେଶକ ଶ୍ରୀ ଦାସଙ୍କ ଉଦ୍ୟମରେ ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ଯୋଗାଇ ଦିଆଯାଇଛି। ଶ୍ରୀ ସିଂହ ଏକାଡେମୀ ଦାୟିତ୍ବ ନେବା ପରଠାରୁ ଏକାଡେମୀର କାର୍ଯ୍ୟକଳାପ ଏକ ଗୋଷ୍ଠୀ ଭିତରେ ସୀମିତ ରହିଛି। ଖୁସିରକଥା ଶ୍ରୀ ସିଂହଙ୍କର କାର୍ଯ୍ୟକାଳ ସରିଆସୁଛି ଏବଂ ଖୁବ୍‌ ଶୀଘ୍ର ନୂଆ ପରାମର୍ଶଦାତା ମଣ୍ଡଳୀ ଓ ଆବାହକ ଦାୟିତ୍ବ ନେବେ।

ନିକଟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରକୁ ନେଇ ବିବାଦକୁ ଆସିଛନ୍ତି ଶ୍ରୀ ଦାସ। ତାଙ୍କ ଲିଖିତ ଗୀତକୁ ସୁର ଦେଇ ବହୁ ସଂଗୀତ ଆଲବମ ପ୍ରସ୍ତୁତ କରିଥିବା ଜଣେ ନିର୍ଦେଶକଙ୍କୁ ଏଥର ପୁରସ୍କାର ଦେଇ ଋଣ ସୁଝିଛନ୍ତି ଶ୍ରୀ ଦାସ। ସେହିପରି ନିଜର ଜଣେ ନିକଟତମ ବ୍ୟକ୍ତି ଯାହାଙ୍କୁ ସେ ଭାଷା ପ୍ରତିଷ୍ଠାନ କାର୍ଯ୍ୟକାରୀ ପରିଷଦ ଓ ପାଠାଗାର ବହିକିଣା କମିଟିର ସଦସ୍ୟ କରାଇଛନ୍ତି ତାଙ୍କୁ ମଧ୍ୟ ଏଥର ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ସୂଚନାଯୋଗ୍ୟ ଶ୍ରୀ ଦାସ ନିଜେ ସଂସ୍କୃତି ନର୍ଦେଶକ ଓ ପୁରସ୍କାର ଚୟନ କମିଟିର ସଦସ୍ୟ ମଧ୍ୟ ଅଛନ୍ତି।

ନିକଟରେ ଶେଷ ହୋଇଥିବା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ବେଳେ ଶ୍ରୀ ଦାସଙ୍କ କୁତ୍ସିତ ଅଭିସନ୍ଧି ସାମନାକୁ ଆସିଥିଲା। ଉଭୟ ସାହିତ୍ୟ ଓ ପ୍ରକାଶନ ସହ ଜଡ଼ିତ ପ୍ରକାଶକମାନଙ୍କୁ କିଭଳି ମେଳାରୁ ଦୂରେଇ ରଖିବେ ଓ ମେଳା ବାବଦରେ ଖର୍ଚ ଅର୍ଥର ସିଂହଭାଗ ବାଟମାରଣ କରିବେ ସେ ନେଇ ଶ୍ରୀ ଦାସ ମୂଳରୁ ଉଦ୍ୟମ ଚଳାଇଥିବୋବେଳ ପ୍ରକାଶକମାନେ ତାଙ୍କ ସର୍ତ ସବୁରେ ଅସହମତ ହେବାରୁ ମେଳା ଏକପ୍ରକାର ବନ୍ଦହେବା ଯାଏଁ କଥା ବଢ଼ିଥିଲା। ଶେଷରେ ସଂସ୍କୃତି ବିଭାଗ ସଚିବଙ୍କ ସଂପୃକ୍ତିରେ ଓ ପୁସ୍ତକମେଳା ଆୟୋଜନ କମିଟିର ଉଦ୍ୟମରେ ମେଳା ଆୟୋଜିତ ହୋଇଥିଲା। ତେବେ ଶ୍ରୀ ଦାସ ଯାହା ଚାହୁଁଥିଲେ ସେହିପରି ଆଧାରରେ ଷ୍ଟଲ ଆବଣ୍ଟନ ହୋଇଥିଲା। (ଶ୍ରୀ ଦାସଙ୍କ ପରାମର୍ଶକୁ ଅଗ୍ରାହ୍ୟ କରିଥିଲେ ମେଳା ହୋଇ ପାରିନଥାନ୍ତା। ଏଣୁ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରକାଶକମାନେ ତାଙ୍କ କଥାରେ ବାଧ୍ୟ ହୋଇ ରାଜି ହୋଇଥିଲେ।) ଶ୍ରୀ ଦାସ ଯୋଗଦେବା ପରଠାରୁ ଆଦୌ ମେଳା ହୋଇ ପାରିନଥିଲା। ତେବେ ନହୋଇଥିବା ମେଳା ପାଇଁ ମଧ୍ୟ ବ୍ୟାପକ ବ୍ୟୟବରାଦ ସହ ଏଥର ମେଳାରେ ଆବଶ୍ୟକ ଖର୍ଚର ତିନିଗୁଣା ଖର୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ତଦନ୍ତ ହେବା ଆବଶ୍ୟକ ବୋଲି ‘ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’ ପୂର୍ବରୁ ବାରମ୍ବାର ଦାବି କରିଆସିଛି।

ଶ୍ରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରକାଶ ପାଉଥିବା ‘ଶିଶୁଲେଖା’ ପତ୍ରିକା ମୁଦ୍ରଣ ଓ ବଣ୍ଟନ ଆଳରେ କୋଟିକୋଟି ଟଙ୍କା ହଡ଼ପ ହୋଇଥିବା ନେଇ ତଥ୍ୟ ଓ ପ୍ରମାଣ ‘ଓଡ଼ିଶା ଲିଙ୍କ୍’ ହାତରେ ଲାଗିଛି। ଏ ବାବଦରେ ଆଉ କିଛି ତଥ୍ୟ ବିଭାଗକୁ ମଗାଯାଇଛି। ସେ ତଥ୍ୟ ଆସିବା ପରେ ସାହିତ୍ୟ ଆଳରେ ସଂସ୍କୃତି ନିର୍ଦେଶାଳୟର ଏକ ବୃହତ୍‌ ଦୁର୍ନୀତିର ପର୍ଦାଫାଶ ହୋଇପାରିବ। ଅନୁରୂପ ଭାବେ ପୁସ୍ତକମେଳା ଆୟୋଜନରେ ଆବଶ୍ୟକ ଖର୍ଚର ତିନିଗୁଣା ଖର୍ଚ ଦେଖାଯାଇଛି, ଯାହା ତଦନ୍ତ ସାପେକ୍ଷ।

ସାହିତ୍ୟ ଏକାଡେମୀ ପୁରସ୍କାର, ସଚିବ ହେବାର ସମ୍ଭାବ୍ୟ ସୁଯୋଗ ଓ ଭବିଷ୍ୟତର ରାଜନୈତିକ ଉତ୍ତରଣ ପାଇଁ ଶ୍ରୀ ଦାସଙ୍କୁ ଓଡ଼ିଶା ଲିଙ୍କ୍‌ ପକ୍ଷରୁ ଆଗୁଆ ଶୁଭେଚ୍ଛା। ତେବେ ଏସବୁ (୧) ଅନ୍ୟ ଯୋଗ୍ୟ ଲୋକଙ୍କୁ ବଳି ଚଢ଼ାଇ, (୨) ବଚସ୍କରଙ୍କୁ ହାତବାରିଶ କରି ବା (୩) ବ୍ୟାପକ ଦୁର୍ନୀତି ଲବ୍ଧ ଅର୍ଥ ଏକାଠି କରି କରାନଯାଉ।

Leave A Reply

Your email address will not be published.