Odisha Link
Bridging the Missing Links in Odisha

କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଜୟନୀ ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଓଏଲ୍‌ ବ୍ୟୁରୋ: ନିକଟରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ୨୦୨୨ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା କବିତା ସଂକଳନ “ଦୟାନଦୀ” ପୁସ୍ତକର ରଚୟିତା ତଥା ବିଶିଷ୍ଟ ଓଡ଼ିଆ କବି ଓ ଲେଖିକା ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ସୋଆ ସେଣ୍ଟର ଫର ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲ୍‌ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) କେନ୍ଦ୍ରର ମୁଖ୍ୟ ଡକ୍ଟର ପଣ୍ଡାଙ୍କୁ ଏକ ବିଶେଷ କାର୍ଯ୍ୟକ୍ରମରେ ଉତରୀୟ ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସୋଆର ଚାନ୍‌ସେଲର ପ୍ରଫେସର ଦେବୀ ପ୍ରସାଦ ରାୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ତାଙ୍କ ସଫଳତା ବିଶ୍ୱବିଦ୍ୟାଳୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ । ଏହି ଅବସରରେ ଡକ୍ଟର ପଣ୍ଡା ବିଶ୍ୱବିଦ୍ୟାଳୟର ବରିଷ୍ଠ ନେତୃତ୍ୱଙ୍କର ଆଶୀର୍ବାଦ କାମନା କରିବା ସହ ସୋଆ ସହ ଜଡ଼ିତ ଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ବୋଲି କହିଥିଲେ । ଡକ୍ଟର ପଣ୍ଡା କହିଥିଲେ ଯେ ସେ ଖୁବ୍ କମ୍ ବୟସରୁ ତାଙ୍କର ଲେଖନୀ ଚାଳନା ଆରମ୍ଭ କରିଥିଲେ ଏବଂ ମାତ୍ର ୧୨ ବର୍ଷ ବୟସରେ ସେ ପ୍ରଥମ ସାହିତ୍ୟ ପୁରସ୍କାର ପାଇଥିଲେ ।

୨୦୧୧ ମସିହାରେ ନିଜର କବିତା ସଂକଳନ “ଗାଁ” ନିମନ୍ତେ ସେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିଲେ । “ଦୟାନଦୀ” କବିତା ସଂକଳନରେ ଇତିହାସର କଳିଙ୍ଗ ଯୁଦ୍ଧକୁ ଚିତ୍ରିତ କରାଯାଇଛି । ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳରେ ଏହି ଯୁଦ୍ଧ ତାଣ୍ଡବ ରଚିଥିଲା । ଏହି ଯୁଦ୍ଧ ବିଭୀଷିକା ରଚିବା ସହ ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା ବୋଲି ସେ କହିଥିଲେ । ଡକ୍ଟର ପଣ୍ଡାଙ୍କୁ ତାଙ୍କ ପୁରସ୍କାର ନିମନ୍ତେ ଶୁଭେଚ୍ଛା ଜଣାଇ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଏହା ଏକ ବଡ଼ ସଫଳତା ବୋଲି କହିଥିଲେ । ଆମେ ଖୁବ୍ ଆନନ୍ଦିତ ଏବଂ ସେ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ବୋଲି ସେ କହିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଓ ନିର୍ଦ୍ଦେଶକ କର୍ପୋରେଟ ରିଲେସନ୍ସ ଦେବପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.