Odisha Link
Bridging the Missing Links in Odisha

ଭୁବନେଶ୍ୱର ରେଳ ଷ୍ଟେସନରେ ରୁଷ ନାଗରିକ, କାଗଜରେ ଲେଖିଛନ୍ତି-ମୁଁ ପୁଟିନ୍‌ ବିରୋଧୀ, ମତେ ରକ୍ଷା କର

ଓଏଲ୍‌ ବ୍ୟୁରୋ: ରାୟଗଡ଼ାରେ ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ଚର୍ଚ୍ଚା। ବର୍ତ୍ତମାନ ରୁଷୀୟ ପର୍ଯ୍ୟଟକ ପାଭେଲ୍‌ ଆନ୍ତୋଭ ଓ ଭ୍ଲାଦିମିର ବିଦେନୋଭଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଅନ୍ୟପଟେ ଆଉ ଜଣେ ରୁଷୀୟ ନାଗରିକ ଚର୍ଚ୍ଚାରେ । କାରଣ ଭୁବନେଶ୍ବର ରେଳ ଷ୍ଟେସନରେ ଜଣେ ରୁଷ ନାଗରିକ ପରୀକ୍ଷା ବୋର୍ଡ ଧରି ମୁଁ ପୁଟିନ୍‌ ବିରୋଧୀ, ମୋତେ ରକ୍ଷାକର ବୋଲି ସହାୟତା ମାଗିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଭୁବନେଶ୍ବର ରେଳ ଷ୍ଟେସନରେ ଜଣେ ରୁଷ ନାଗରିକ କାଗଜରେ ଲେଖିଛନ୍ତି, ମୁଁ ପୁଟିନ୍‌ ବିରୋଧୀ। ମୋତେ ରକ୍ଷା କର। ଆଇ ଆମ୍‌ ରୁଷିଆନ୍‌ ରିଫ୍ୟୁଜି। ଆଇ ଆମ୍‌ ଏଗେନ୍‌ଷ୍ଟ ଦ ଓ୍ବାର୍। ଆଇ ଆମ୍‌ ଏଗେନ୍‌ଷ୍ଟ ପୁଟିନ୍। ଆଇ ଆମ୍‌ ହୋମ୍‌ଲେସ୍। ପ୍ଲିଜ ହେଲ୍ପ ମି..। ହାତରେ ଏଭଳି ଲେଖା ଧରି ବସିଛନ୍ତି ରୁଷ ନାଗରିକ।

ଗୁରୁବାର ଭୁବନେଶ୍ବର ଷ୍ଟେସନ୍‌ ପୁନଃ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଲାଗି ପ୍ରବଳ ଭିଡ଼ ହୋଇଥିଲା। ସେହି ଭିତରେ ଗୋଟିଏ ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ଚାରିପାଖରୁ ଘେରି ରହିଥିଲେ। ଆଉ ସେ ଥିଲେ ସେହି ରୁଷ ନାଗରିକ। ଉପସ୍ଥିତଥିବା ଲୋକ ତାଙ୍କ କିଏ ବୋଲି ପ୍ରଶ୍ନ କରିଥିଲେ ହେଲେ ସେ ଚୁପଚାପ୍‌ ରହିଥିଲେ। ପରେ ତାଙ୍କୁ କାଗଜ କଲମ ଦେବା ପରେ ସେ ତାଙ୍କ ନାମ ଆଣ୍ରିଓ ବୋଲି ଲେଖିଥିଲେ।

କିଛିଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ରୁଷରେ ବାସହରା ହୋଇ ଓଡ଼ିଶା ପଳାଇ ଆସିଛନ୍ତି ଆଣ୍ଡ୍ରିଓ। ସେ ଗତ ଏକମାସ ହେଲା ଶୀତକାକରରେ ଭୁବନେଶ୍ବର ଷ୍ଟେସନ୍‌ରେ ରହୁଛନ୍ତି। ପ୍ରତିଦିନ ସକାଳ ହେଲେ ଏମିତି ହାତରେ ପରୀକ୍ଷା ବୋର୍ଡ ଧରି ସାହାଯ୍ୟ କରିବାକୁ ନିବେଦନ କରି ଚାଲିଛନ୍ତି। ହେଲେ ଏହି ଖବର ପୁଲିସ ଏବଂ ପ୍ରଶାସନ ପାଖରେ ପହଁଞ୍ଚି ନାହିଁ ।

Leave A Reply

Your email address will not be published.