Odisha Link
Bridging the Missing Links in Odisha

ଅବସର ନେବେ ବିଜୟ ମହାପାତ୍ର, ନୂଆ ଦଳରୁ ଲଢ଼ିବେ ପୁଅ!

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ତିକନପୁରଠାରେ ପୁଅ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଆଗରେ ଘୋଷଣା କରିଛନ୍ତି ବିଜୟ ମହାପାତ୍ର

ଓଏଲ୍‌ ବ୍ୟୁରୋ : ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ଆଉ ବର୍ଷେରୁ ଅଧିକ ସମୟ ବାକି ଥିବା ବେଳେ ଏବେଠୁ ରାଜ୍ୟ ରାଜନୀତି ସରଗରମ। କିଏ ପାଇବ ଟିକେଟ, କାହାକୁ ନୂଆ ଚେହେରା କରିବ ଦଳ ଏଭଳି ଚର୍ଚ୍ଚା ସମସ୍ତ ରାଜନୈତିକ ଦଳ ମଧ୍ୟରେ ଲିଛି ଆଲୋଚନା। ଏସବୁ ମଧ୍ୟରେ ଭେଟରାନ୍‌ ରାଜନେତା ବିଜୟ ମହାପାତ୍ରଙ୍କ ବନ୍ଧୁ ମିଳନ ସମାରୋହ ରାଜ୍ୟ ରାଜନୀତିର ଉଷ୍ମତାକୁ ବଢ଼ାଇ ଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ତିକନପୁରଠାରେ ପୁଅ ଅରବିନ୍ଦ ମହାପାତ୍ର ନିର୍ବାଚନ ଲଢ଼ିବେ ବୋଲି ଗଣମାଧ୍ୟମରେ ଆଗରେ ଘୋଷଣା କରିଛନ୍ତି ବିଜୟ ମହାପାତ୍ର। ଏହି ବୟାନ ସହ ବିଜୟ ମହାପାତ୍ର ରାଜନୀତିରୁ ଅବସର ନେଇ ପାରନ୍ତି ବୋଲି ଖୁବ୍‌ ଚର୍ଚ୍ଚା ହେଉଛି। ଯାହା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ବନ୍ଧୁ ମିଳନ ସମାରୋହରେ ଯେଉଁ ବନ୍ଧୁମିଳନ ବ୍ୟାନର୍‌ ମରାଯାଇଥିଲା, ସେଥିରେ ନା ଦଳୀୟ ଚିହ୍ନ ଥିଲା ନା ରଙ୍ଗ। ବ୍ୟାନର୍‌ରେ କେବଳ ବିଜୟଙ୍କ ବଡ଼ ଫଟୋ ସହିତ ଅଭିନନ୍ଦନର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ପାଖାପାଖି ୩ହଜାର ଲୋକ ସାମିଲ୍‌ ହୋଇଥିଲେ। ସେ ଏହି ସମାରୋହରେ ପାଟକୁରାର ୪୦ବର୍ଷର ଚିତ୍ର ସଂପର୍କରେ କହିଥିଲେ। ସେ କହିଥିଲେ, ପାଟକୁରା ପାଇଁ ଥିବା ସ୍ବପ୍ନ ୭୫ ଭାଗ ପୂରଣ ହୋଇଛି। ଆଜି ମୁଁ ରାଜନୀତିରେ ଯେତିକି ବାଟ ଆଗକୁ ଆସିଛି, ତାହା ପଛରେ କେବଳ ପାଟକୁରାବାସୀଙ୍କ ସେହ୍ନ, ଶ୍ରଦ୍ଧା ଆଉ ଭଲପାଇବା ରହିଛି। ପାଟକୁରାବାସୀଙ୍କ ସମର୍ଥନ ଆଉ ଆଶୀର୍ବାଦ ‌ଯୋଗୁ ଜୀବନରେ ଏତେ ବାଟ ଆସିପାରିଛି। ସାରା ଓଡ଼ିଶାର ୩୦ଟି ଜିଲ୍ଲାକୁ ତିନି ତିନି ଥର ବୁଲିଛି।’ କିନ୍ତୁ, ଏବେ ଓଡ଼ିଶାର ରାଜନୈତିକ ଚିତ୍ର କିଛି ଅଲଗା ଦେଖିବାକୁ ମିଳିଛି ବୋଲି ବିଜୟ ମହାପାତ୍ର କହିଛନ୍ତି।

ଏଥିସହିତ ସେ ଆହୁରି କହିଛନ୍ତି, ମୋ ପାଇଁ ବହୁଲୋକ ଅସୁବିଧା ଭୋଗିଛନ୍ତି; ନିର୍ଯାତନା ସହିଛନ୍ତି। ତା’ ସତ୍ତ୍ବେ ସେମାନେ ମୋ ସହିତ ଅଛନ୍ତି। କାରଣ ମୁଁ ସବୁବେଳେ ଆଗରେ ରହି ଲଢେ଼। ସତ କେବେ ଲୁଚି ରହିପାରିବ ନାହିଁ। ସାମ୍ନାକୁ ଆସିବ। ୨୦୨୩ମସିହାର ସବୁ ପ୍ରତୀକ୍ଷାର ଅନ୍ତ ଘଟିବ। ସଭା ଶେଷରେ ପୁଅ ନିର୍ବାଚନ ଲଢ଼ିବେ ବୋଲି ବିଜୟ ସ୍ପଷ୍ଟ କରିଥିଲା ବେଳେ ପୁଅ ଅରବିନ୍ଦ ମହାପାତ୍ର ମଧ୍ୟ ସମାନ ମତ ରଖିଥିଲେ। ଏଥିସହିତ ଆଗାମୀ ୩ ମାସ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ବିଜୟ ମହାପାତ୍ର କହିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ।

ବିଜୟଙ୍କ ପୂର୍ବରୁ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଅଗାମୀ ଦିନରେ ୪ଟି ପ୍ରସଙ୍ଗ ବିଷୟରେ କହିବି ବୋଲି କହିଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଥିଲା। ସୂଚନାଯୋଗ୍ୟ, ବିଜୟ ମହାପାତ୍ର ୨୦୨୯ ମସିହାରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ହେଲେ ବିଜେଡି ପ୍ରାର୍ଥୀନୀ ସବିତା ଅଗ୍ରଓ୍ବାଲଙ୍କଠୁ ପରାଜିତ ହୋଇଥିଲେ। ତାପରଠୁ ବିଜୟ ମହାପାତ୍ରଙ୍କୁ ଭାରତୀୟ ଜନତା ପାର୍ଟିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ। ଏପରିକି ସେ କେନ୍ଦ୍ରାପଡ଼ାରେ ହେଉଥିବା ବିଜେପି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉନାହାନ୍ତି।

Leave A Reply

Your email address will not be published.