ସକାଳୁ ସକାଳୁ ରାଜଧାନୀରେ କୃଷକଙ୍କ ଗର୍ଜନ
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୋଲିସ। ହେଲେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ।
ନବୀନ ନିବାସ ଯିବା ବାଟରେ ପୋଲିସ ଓ କୃଷକଙ୍କ ମଧ୍ୟରେ ଠେଲାପେଲା, ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଲା ଏହି ଆନ୍ଦୋଳନରେ ବହୁ ସଂଖ୍ୟକ ମହିଳା ମଧ୍ୟ ସାମିଲ ହୋଇଥିଲେ। କୃଷକ ମାନେ ଅଭିଯୋଗ କରିଛନ୍ତି, ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ଦଲାଲମାନେ ମାଲାମାଲ ହେଉଛନ୍ତି, ଆଉ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏନେଇ ବାରମ୍ବାର ପ୍ରତିବାଦ କରାଯିବା ପରେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଆନ୍ଦୋଳନକାରୀ ମାନେ ମତ ରଖିଛନ୍ତି।