Odisha Link
Bridging the Missing Links in Odisha

୫ ବର୍ଷ ପରେ ଇଡେନ୍ ଗାର୍ଡେନରେ ଦିନିକିଆ ମ୍ୟାଚ୍‌ ଖେଳିବ ଭାରତ

ଶେଷଥର ପାଇଁ ସେପ୍ଟେମ୍ବର ୨୧ ୨୦୧୭ରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା ଭାରତ

ଓଏଲ୍‌ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ ମଇଦାନରେ ଖେଳାଯିବ। ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ହରାଇ ୧-୦ରେ ଆଗୁଆ ଥିବା ଭାରତ ଦ୍ବିତୀୟ ମ୍ୟାଚକୁ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ସେହିପରି ଶ୍ରୀଲଙ୍କା ଦଳ ବିଜୟ ହାସଲ କରି ସିରିଜ ବରାବର କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ସବୁଠୁ ବଡ଼ କଥା ହେଲା ୫ ବର୍ଷ ପରେ ଭାରତୀୟ ଦଳ ଇଡେନ୍‌ ଗାର୍ଡେନରେ ଦିନିକିଆ ମ୍ୟାଚ୍‌ ଖେଳିବ। ଶେଷଥର ପାଇଁ ସେପ୍ଟେମ୍ବର ୨୧ ୨୦୧୭ରେ ଦିନିକିଆ ମ୍ୟାଚ୍‌ ଖେଳିଥିଲା ଭାରତ।

ପ୍ରଥମ ଦିନିକିଆରେ ଦମଦାର ପ୍ରଦର୍ଶନ କରିଥିବା ବିରାଟ କୋହିଲି, ରୋହିତ ଶର୍ମା ଓ ଶୁବମନ ଗିଲ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଗୁଆହାଟି ଦିନିକିଆରେ ନିଜର ୭୩ତମ ଅନ୍ତର୍ଜାତୀୟ ଶତକ ହା‌ସଲ କରିବା ସହ ଭାରତର ୬୭ ରନ୍‌ର ବିଜୟରେ ବଡ଼ ଭୁମିକା ନିଭାଇଥିଲେ। ସେହିପରି ଆହତ ସମସ୍ୟାରୁ ମୁକୁଳି ଦଳକୁ ଫେରିଥିବା ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚ୍‌ରେ ୬୭ ବଲ୍‌ରେ ୮୩ ରନ୍‌ କରି ନିଜର ଫିଟ୍‌ନେସ୍‌ ପ୍ରମାଣ ଦେଇ ସାରିଛନ୍ତି।

ଯୁବ ଓପନର୍‌ ଶୁବମନ ଗିଲ୍‌ ମଧ୍ୟ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଫଳରେ ମଙ୍ଗଳବାର ପରି ଗୁରୁବାର ଶୀର୍ଷ ୩ ବ୍ୟାଟିଂକ୍ରମ ଶ୍ରୀଲଙ୍କାକୁ ଅଡ଼ୁଆରେ ପକାଇବା ସମ୍ଭାବନା ରହିଛି। ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ପୂର୍ବରୁ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳିବା ପ୍ରାୟ ନିଶ୍ଚିତ ‌ରହିଛି। ୱିକେଟ୍‌ରକ୍ଷକ ଦାୟିତ୍ବରେ ରାହୁଲ ରହିବେ। ତେଣୁ ଏହି ମ୍ୟାଚ୍‌ରେ ଈଶାନ ‌କିଶନ ଖେଳିବାର ସମ୍ଭାବନା ପ୍ରାୟ ନାହିଁ। ମହମ୍ମଦ ସାମିଙ୍କ ନେତୃତ୍ବରେ ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ଓ ହାର୍ଦିକ୍‌ ପାଣ୍ଡ୍ୟା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ।

ପ୍ରଥମ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଦଳ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ନିଶ୍ଚିତ। ଗୁଆହାଟୀରେ ଅଧିନାୟକ ଦାସୁନ ଶଣଙ୍କା ଏକା ଶ୍ରୀଲଙ୍କା ପାଇଁ ଲଢ଼ିଥିଲେ। ଦଳୀୟ ସ୍କୋର୍‌ ୧୭୯/୭ ଥିଲା ବେଳେ ଏହି ସିଂହଳୀ ଅଲ୍‌ରାଉଣ୍ଡର ୧୦୮ ରନ୍‌ର ଅପରାଜିତ ପାଳି ଖେଳି ବିଜୟ ସମ୍ଭାବନା ଆଣିଥିଲେ। କାକରର ପୂର‌ା ଫାଇଦା ଉଠାଇ ଭାରତୀୟ ବୋଲରଙ୍କୁ ଧୂଲାଇ କରିଥିଲେ ଶଣଙ୍କା। ତାଙ୍କ ସହ ଅନ୍ୟ ବ୍ୟାଟର୍‌ମାନେ ନିଜର ଶ୍ରେ‌ଷ୍ଠ ଦେଲେ ଭାରତ ସହ ଭଲ ଲଢ଼େଇ କରିପାରିବ ଭ୍ରମଣକାରୀ ଦଳ। ଓପନର୍‌ ପଥୁମ ନିଶାଙ୍କ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମରେ ଥିବା ସୂଚାଇଛନ୍ତି। କୋହଲିଙ୍କ କ୍ୟାଚ୍‌ ଦୁଇ ଥର ଛାଡ଼ିବା ଫିଲ୍ଡିଂରେ ଦୁର୍ବଳ ଥିବା ଦର୍ଶାଇବା ସହ ପାୱାରପ୍ଲେରେ ବୋଲର ପ୍ରଭାବହୀନ ଥିଲେ। ଆଗାମୀ ମ୍ୟାଚ୍‌ରେ ଏହା ଉପରେ ପ୍ରଥମେ ଗୁରୁତ୍ବ ଦେବ।

ସାମ୍ଭବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ସାମି, ଉମ୍ରାନ ମଲିକ, ୟୁଝବେନ୍ଦ୍ର ଚହଲ।

ସାମ୍ଭବ୍ୟ ଶ୍ରୀଲଙ୍କା ଏକାଦଶ: ପଥୁମ ନିଶାଙ୍କ, କୁସାଲ ମେଣ୍ଡିସ, ଅଭିଷ୍କା ଫର୍ଣ୍ଣାଣ୍ଡୋ, ଧନଞ୍ଜୟ ଡି’ସିଲ୍‌ଭା, ଚରିତ ଅସଲଙ୍କା, ଦାସୁନ ଶଣଙ୍କା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁନିଥ ୱେଲାଲାଗେ, କସୁନ ରଜିତା, ଦିଲସାନ ମଦୁଶଙ୍କା।

Leave A Reply

Your email address will not be published.