Odisha Link
Bridging the Missing Links in Odisha

ଆଜି ମକର ସଂକ୍ରାନ୍ତି, କ’ଣ ରହିଛି ବିଶେଷ ମହତ୍ବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ। କର୍ଣ୍ଣାଟକ, ଗୋଆ, ଓଡିଶା, ହରିୟାଣା, ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି ପାଳନ କରାଯାଏ।

ପରମ୍ପରା ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ପ୍ରତି ବର୍ଷ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି ପାଳନ କରାଯାଏ। ମକର ସଂକ୍ରାନ୍ତିରେ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି। ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମକର ଚାଉଳ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଣ୍ଟା ଯାଏ। ଅନେକ ସ୍ଥାନରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି।

ଶ୍ରୀମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତିକୁ ବେଶ ଧୁମ୍‌ଧାମରେ ପାଳନ କରାଯାଏ। ଆଜିର ତିଥିରେ ଶ୍ରୀମନ୍ଦିରରେ ମକର ଚୌରାଅଶୀ ବେଶରେ ବିଭୂଷିତ ହୋଇଥାନ୍ତି ଶ୍ରୀଜିଉ। ସକାଳୁ ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ।

ଘଣ୍ଟ, ଛତା, କାହାଳୀ ପଟୁଆର ସହିତ ତଳିଚ୍ଛୁ ଓ ପ୍ରଧାନୀଙ୍କ ହାତପୈଠ ହୋଇ ରୋଷଘରଠାରୁ ଭୋଗ ଶ୍ରୀଛାମୁକୁ ଆସିଥାଏ। ମକରଚାଉଳ ପ୍ରସ୍ତୁତି ନିମନ୍ତେ ରୋଷଘରକୁ ଗୋଦାମରୁ ନଡ଼ିଆ, ଘିଅ, ମିଠା, ମସଲା ଓ ଦୁଧସରମାନ ଅଣାଯାଇଥାଏ। ସୁଆର ସେବକ ଏସବୁ ଦ୍ରବ୍ୟଗୁଡ଼ିକରେ ମକରଚାଉଳ ପ୍ରସ୍ତୁତ କରି ରଖିଥାନ୍ତି। ପୂର୍ବ ଦିନରୁ ଭୋଗମଣ୍ଡପ ଘରେ ଶୁଦ୍ଧପୂତ ଭାବେ ଅଧିବାସ ହୋଇ ରଖାଯାଇଥିବା ମକରଚାଉଳକୁ ପତ୍ରିବଡ଼ୁ ସେବକମାନେ ମୁହଁରେ ବାଘମୁହାଁ ବାନ୍ଧି ଘଣ୍ଟ, ଛତା, କାହାଳୀ ପଟୁଆରରେ ତଳିଚ୍ଛୁଙ୍କ ସହ ମୁଖ୍ୟ ମନ୍ଦିରକୁ ତିନିଥର ପରିକ୍ରମା କରି ଶ୍ରୀଛାମୁରେ ପନ୍ତି ବାଢ଼ିଥାନ୍ତି

ବହୁ ସ୍ଥାନରେ ଏହାକୁ ଖେଚୁଡ଼ିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଚାଉଳକୁ ଚନ୍ଦ୍ରମାଙ୍କର ଏବଂ ବିରି ଡ଼ାଲିକୁ ଶନିଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ସବୁଜ ପନିପରିବା ବୁଧ ଗ୍ରହ ସହ ଜଡ଼ିତ। ମାନ୍ୟତା ରହିଛି ଯେ, ଖେଚେଡ଼ିର ଉତ୍ତାପ ମଙ୍ଗଳ ସୂର୍ୟ୍ୟଙ୍କ ସହ ଜଡ଼ିତ। ଏହି ଦିନରେ ନୂଆ ଚାଉଳର ଭାତ ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିଥାଏ। ତେଣୁ ଏହି ଦିନରେ ଖେଚେଡ଼ି ଖାଇବା ଦ୍ୱାରା ଜାତକରେ ଗ୍ରହ ସ୍ଥିତି ଭଲ ରହିବା ସହ ଶରୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Leave A Reply

Your email address will not be published.