Odisha Link
Bridging the Missing Links in Odisha

ବିକଶିତ ଭାରତ ପାଇଁ ଅଭିବୃଦ୍ଧି ଓ ଉତ୍ସାହପୂର୍ଣ୍ଣ ଅମୃତକାଳ ବଜେଟ୍: ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ସଂସଦରେ ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ବିକଶିତ ଭାରତ ପାଇଁ ବଜେଟ୍ ବୋଲି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଜନକେନ୍ଦ୍ରୀକ, ଅଭିବୃଦ୍ଧି ଓ ଉତ୍ସାହପୂର୍ଣ୍ଣ ଅମୃତକାଳ ବଜେଟ୍ ଉପସ୍ଥାପନ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଚଳିତବର୍ଷ ମୋଟ ୧ ଲକ୍ଷ ୧୬ ହଜାର ୪୧୭ କୋଟି ଟଙ୍କା ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପାଇଁ ବ୍ୟବବରାଦ କରାଯାଇଛି । ଜାତୀୟ ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରିବା ପାଇଁ ଚଳିତବର୍ଷ ପ୍ରଥମ ଥର ଶିକ୍ଷା ବିଭାଗରେ ସର୍ବାଧିକ ୧ ଲକ୍ଷ ୧୨ ହଜାର ୮୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାବ୍ୟତିତ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ପାଇଁ ୩ ହଜାର ୫୧୭ କୋଟି ଟଙ୍କା ଆବଣ୍ଟନ ହୋଇଛି ।

ଏନଇପିକୁ କ୍ରିୟାନ୍ୱୟନ କରିବାରେ ଶିକ୍ଷକ ମାନଙ୍କର ଭୂମିକା ମହତ୍ୱପୂର୍ଣ୍ଣ । ଏଥିପାଇଁ ବଜେଟରେ ଶିକ୍ଷକ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ତଥା ସେମାନଙ୍କ କ୍ଷମତା ବୃଦ୍ଧି ପାଇଁ ତାଲିମ ଦିଆଯିବା ଭଳି ଡାଏଟ(ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁସନ ଫର୍ ଏଜ୍ୟୁକେସନ ଆଣ୍ଡ୍ ଟ୍ରେନିଂ)କୁ ଅପଗ୍ରେଡେସନ କରାଯାଇଛି । ଶିଶୁଙ୍କ ଜ୍ଞାନ ବଢାଇବା ପାଇଁ ଏବଂ ସମଗ୍ର ଭାରତବର୍ଷର ବିଷୟ ଉପରେ ଜ୍ଞାନ ଆହରଣ କରିବା ପାଇଁ ଜାତୀୟ ଡିଜିଟାଲ ଲାଇବ୍ରେରୀର କଳ୍ପନା କରାଯାଇଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ଆମ ଦେଶର ଲକ୍ଷାଧିକ ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ପାଠ୍ୟକ୍ରମ ଯଥା କୋଡିଂ, ରୋବୋଟିକ, ଡ୍ରୋନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ସଫ୍ଟ ସ୍କିଲ କ୍ଷେତ୍ରରେ କୁଶଳୀ କରାଯିବ । ୩୦ ସ୍କିଲ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ପ୍ରତିଷ୍ଠା କରାଯାଇ ଯୁବକଙ୍କୁ ଦକ୍ଷ କରାଯିବ । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ୍ ସ୍ଥାପନ ହେବ । ଦେଶରେ ୭୪୦ଟି ଏକଲବ୍ୟ ସ୍କୁଲ ଗୁଡିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସହାୟକଙ୍କୁ ନିଯୁକ୍ତି ନିଆଯିବ । ଏହା ଦ୍ୱାରା ୩.୫ ଲକ୍ଷ ଜନଜାତି ଛାତ୍ରଛାତ୍ରୀ ଲାଭ ପାଇବେ ।

ପ୍ରଧାନମନ୍ତ୍ରୀ କୌଶଲ୍ୟ ବିକାଶ ଯୋଜନା,‘ଏଗ୍ରିକଲ୍‌ଚୁରାଲ୍‌ ଏକ୍ସଲେଟର୍‌ ଫଣ୍ଡ୍‌’ ଗଠନ, ମତ୍ସ୍ୟ ଚାଷ ଓ ଦୁଗ୍ଧଜାତ ସାମଗ୍ରୀ ଉପରେ ଧ୍ୟାନ ନିବେଶ, ମିଲେଟ୍‌କୁ ପ୍ରୋତ୍ସାହନ ପାଇଁ ‘ଶ୍ରୀଅନ୍ନ’, ମିଷ୍ଟି ଯୋଜନା, ପର୍ଯ୍ୟଟନକୁ ଗୁରୁତ୍ୱ, ପ୍ରମିଟିଭ୍ ଜନଜାତିଙ୍କ ବିକାଶ ପାଇଁ ୧୫ ହଜାର କୋଟି ଟଙ୍କାର ବ୍ୟୟବରାଦ ହେବ । ଓ୍ୱାନ ଡିଷ୍ଟ୍ରିକ୍ଟ- ଓ୍ୱାନ ପ୍ରଡକ୍ଟ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ମଲ୍ ନିର୍ମାଣ ହେବ । ସବୁଜ ଅର୍ଥନୀତିକୁ ଗୁରୁତ୍ୱ, ଏମଏସଏମଇ ଓ କର୍ପୋରେଟ୍ କ୍ଷେତ୍ର ଏବଂ ଡିଜିଟାଲ ଭିତ୍ତିଭୂମି ଆହୁରି ସୁଦୃଢ଼଼ ହେବ । ଏହା ଦ୍ୱାରା ଓଡ଼ିଶା ବିଶେଷ ଲାଭ ପାଇବ । ଗ୍ରାମୀଣ ଓ କ୍ଷୁଦ୍ର ସହରକୁ ଗତି ଦେଲା ଭଳି ବଜେଟ୍ ହୋଇଛି । ବଜେଟ୍ ଭାରତବର୍ଷର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ସମସ୍ତଙ୍କ ପାଇଁ ହୋଇଥିବା ଏହି ବଜେଟ୍ ଗରିବଙ୍କୁ ସଶକ୍ତ କରିବ ଏବଂ ଅନ୍ତିମ ଶ୍ରେଣୀର ଲୋକଙ୍କ ପାଖରେ ଲାଭ ପହଞ୍ଚିବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ବିକାଶ, ଡିଜିଟାଲ ଭିତ୍ତିଭୂମି, ସବୁଜ ଅର୍ଥନୀତି ଏବଂ ରୋଜଗାର କ୍ଷେତ୍ରକୁ ମଜଭୂତ କରିବା ଭଳି ବଜେଟ୍ । ଏହି ବଜେଟ୍ ଭାରତ ପାଇଁ ଏକ ଦାୟିତ୍ୱବାନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି, ଯାହା ଦେଶକୁ ଟେକ୍ନୋଲୋଜି ଭିତ୍ତିରେ ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ ।

ଆଗାମୀ ୨୫ ବର୍ଷକୁ ଧ୍ୟାନରେ ରଖି ହୋଇଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏହି ବଜେଟ୍ ବିକଶିତ ଭାରତର ମୂଳଦୁଆ ପକାଇଛି । ‘ମହିଳା ସମ୍ମାନ ସଞ୍ଚୟ ଯୋଜନା’ରେ ମହିଳା ମାନଙ୍କୁ ବ୍ୟବସାୟ ସହ ଯୋଡିବା ଏବଂ ସଶକ୍ତ ଓ ଆତ୍ମନିର୍ଭର କରିବା ଦିଗରେ ଧ୍ୟାନ ଦିଆଯାଇଛି । ଏକବିଂଶ ଶତାବ୍ଦୀର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଟିକସ ରିହାତି ନିମ୍ନ ଓ ମଧ୍ୟବିତ୍ତଙ୍କୁ ଆର୍ଥିକ ବୋଝରୁ ମୁକ୍ତ କରିବ । ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇଛି । ଚ୍ୟାଲେଞ୍ଜି ଆଧାରରେ ୫୦ଟି ଅତିରିକ୍ତ ବିମାନବନ୍ଦର, ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର ହେବା ଦ୍ୱାରା ବିଶ୍ୱସ୍ତରୀୟ ପର୍ଯ୍ୟଟନ ସୁବିଧା ପର୍ଯ୍ୟଟକଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.