Odisha Link
Bridging the Missing Links in Odisha

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ; ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ମୂର୍ତ୍ତି

ଏହି ଦେବଶିଳା ଗତ ରାତିରେ ନେପାଳର ଜନକପୁରରୁ ଆସି ଅଯୋଧ୍ୟାରେ ପହଞ୍ଚିଥିଲା

ଓଏଲ୍‌ ବ୍ୟୁରୋ : ନେପାଳରୁ ଆସିଛି ଶାଳଗ୍ରାମ। ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ନିର୍ମାଣ ହେବା ପାଇଁ ନେପାଳରୁ ଅଣାଯାଇଥିବା ଦୁଇଟି ପ୍ରକାଣ୍ଡ ଦୁର୍ଲଭ ଶିଳାଖଣ୍ଡ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପହଞ୍ଚିଛି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର ରାମ ସେବକ ପୁରମରେ ରଖାଯାଇଛି।

ବିଶ୍ବ ହିନ୍ଦୁ ପରିଷଦ୍‌ର ଜାତୀୟ ସମ୍ପାଦକ ରାଜେନ୍ଦ୍ର ସିଂହ ପଙ୍କଜ ସେ ଦୁଇ ପବିତ୍ର ଶିଳାଖଣ୍ଡକୁ ନେପାଳର ମୁସ୍ତାଙ୍ଗ ଜିଲ୍ଲାରୁ ଆଣିଥିଲେ। ଏହି ଦେବଶିଳା ଗତ ରାତିରେ ନେପାଳର ଜନକପୁରରୁ ଆସି ଅଯୋଧ୍ୟାରେ ପହଞ୍ଚିଥିଲା। ୬୦୦ ଲକ୍ଷ ବର୍ଷ ପ୍ରାଚୀନ ବୋଲି କୁହାଯାଉଥିବା ଏହି ଶାଳଗ୍ରାମ ଶିଳାଖଣ୍ଡଗୁଡ଼ିକ ଭିନ୍ନ ଭିନ୍ନ ଟ୍ରକ୍‌ରେ ନେପାଳରୁ ଅଯୋଧ୍ୟାକୁ ଅଣାଯାଇଛି।

ଆଜି ସକାଳୁ ଆରମ୍ଭ ହୋଇଛି ଏହି ଶାଳଗ୍ରାମ ପଥରର ପୂଜାର୍ଚ୍ଚନା। ଶାଳଗ୍ରାମ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଦୁଇ ଶାଳଗ୍ରାମର ଓଜନ ପ୍ରାୟ ୪୦ ଟନ। ଆଜି ବୈଦିକ ରୀତିନୀତିରେ ଏହି ଦିବ୍ୟ ପଥରକୁ ପୂଜାର୍ଚ୍ଚନା ପରେ ରାମ ମନ୍ଦିର ସମିତିକୁ ହସ୍ତାନ୍ତର କରିଛନ୍ତି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ୨୦୨୪ ଜାନୁୟାରୀ ସୁଦ୍ଧା ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ।

Leave A Reply

Your email address will not be published.