Odisha Link
Bridging the Missing Links in Odisha

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ହେବ ବିଶ୍ୱବିଦ୍ୟାଳୟ

ଆସନ୍ତାକାଲି କଲେଜର ହୀରକ ଜୟନ୍ତୀ ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ

ଓଏଲ୍‌ ବ୍ୟୁରୋ : ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ନୂତନ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ପାଇଁ ଅନୁମୋଦନ କରିଛନ୍ତି। ଆସନ୍ତାକାଲି କଲେଜର ହୀରକ ଜୟନ୍ତୀ ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ବୋଲି ଜଣା ପଡିଛି।

ସୂଚନା ଅନୁସାରେ, ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ପୂର୍ବରୁ ଜୟପୁର କଲେଜ ନାମରେ ପରିଚିତ ଥିଲା। ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ସହରରେ ଅବସ୍ଥିତ ଏହି କଲେଜ ଯାହା ଉଚ୍ଚ ମାଧ୍ୟମିକ, ସ୍ନାତକୋତ୍ତର ଏବଂ ଉଚ୍ଚ ସ୍ନାତକୋତ୍ତର ସ୍ତରରେ ପାଠ୍ୟକ୍ରମ ପ୍ରଦାନ କରିଥାଏ। ଏହା ୧୯୪୭ ମସିହାରେ ଜୟପୁରର ମହାରାଜା ଶ୍ରୀ ବିକ୍ରମ ଦେବ ଚତୁର୍ଥ କିମ୍ବା ବିକ୍ରମ ଦେବ ବର୍ମାଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ତାଙ୍କ ଏବଂ ତାଙ୍କ ଜେଜେବାପା ମହାରାଜା ଶ୍ରୀ ବିକ୍ରମ ଦେବ ତୃତୀୟଙ୍କ ସମ୍ମାନରେ ନାମିତ।

୧୯୪୭ ମସିହାରେ ଓଡ଼ିଶା ସରକାର, ତାଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମ ଏଠାରେ ଜଯପୁରର ପ୍ରାକ୍ତନ ରାଜା ବିକ୍ରମ ଦେବଙ୍କଦ୍ୱାରା ପ୍ରଦତ୍ତ ଜମିରେ “ଜୟପୁର କଲେଜ” ନାମରେ ଏହାକୁ ଆରମ୍ଭ କରିଥିଲେ । ୧୯୬୧ ମସିହାରେ ଏହାକୁ “ବିକ୍ରମ ଦେବ କଲେଜ ଭାବରେ ପୁନଃ ନାମିତ କରାଯାଇଥିଲା । ଏହା ୧୯୬୧ ମସିହାରେ ଉନ୍ନତ କରାଯାଇ ଡିଗ୍ରୀ ଶ୍ରେଣୀର ଆରମ୍ଭ କରାଯାଇଥିଲା। ୧୯୬୮ ମସିହାରେ ଏଠାରେ ସମ୍ମାନ ଶ୍ରେଣୀ ଆରମ୍ଭ ହେବା ସହ ୧୯୭୯ ମସିହାରେ ସ୍ନାତକୋତ୍ତର ବିଭାଗ ସବୁ ମଧ୍ୟ ଆରମ୍ଭ ହେଇଥିଲା।

୧୯୯୧-୯୨ ମସିହାରେ ଏହି କଲେଜ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଉତ୍ତମ ଶିକ୍ଷା କେନ୍ଦ୍ର ଭାବରେ ମାନ୍ୟତା ଲାଭ କରି ସ୍ୱୟଂଶାସିତ ସ୍ତରକୁ ଆସିଥିଲା। ଆଦିବାସୀ ଅଧ୍ୟୁଷିତ, ଉପାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲାରେ ଥିଲେ ମଧ୍ୟ ସମଗ୍ର ରାଜ୍ୟର ଏକ ଉତ୍ତମ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଭାବରେ ପରିଚିତ ଏହି କଲେଜ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାକୁ ଯାଉଛି।

Leave A Reply

Your email address will not be published.